ଯଦି ବିଶ୍ବକପ ଖେଳିବାର ଅଛି ତେବେ ଭାରତ ଆସିବାକୁ ହେବ -ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସିର ଅଲ୍ଟିମେଟମ

ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସି ଅଲ୍ଟିମେଟମ ଦେଇଛି । ଆଇସିସି ତରଫରୁ ବିସିବିକୁ କୁହାଯାଇଛି କି, ଆଗାମୀ ଟି୨୦ ବିଶ୍ବକପରେ ବାଂଲାଦେଶର ସହଭାଗିତାକୁ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଶେଷ ତାରିଖ ୨୧ ଜାନୁଆରୀ ରହିଛି । ଯଦି ବିଶ୍ବକପ ଖେଳିବାର ରହିଛି, ତେବେ ଯେମିତି ହେଲେ ଭାରତ ଆସିବାକୁ ହେବ ବୋଲି କୁହାଯାଇଛି ।

ଖବର ମୁତାବକ, ଆଇସିସି ଅଧିକାରୀ ଢାକାରେ ଦ୍ବିତୀୟ ବୈଠକ କରିଥିଲା । ଯେଉଁଠାରେ ବିସିବି ୨୦୨୬ ଟି୨୦ ବିଶ୍ବକପ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲା କିନ୍ତୁ ଭାରତରେ ଖେଳିବାକୁ ମନା କରିଥିଲା । ବାଂଲାଦେଶ ସୁରକ୍ଷା ଦୃଷ୍ଟିକୋଣରୁ ବିକଳ୍ପ ସ୍ଥାନ ମାଗିଥିଲା ଏବଂ ଶ୍ରୀଲଙ୍କାକୁ ସମ୍ଭାବିତ ବିକଳ୍ପ ଭାବେ ରଖିଥିଲା । ହେଲେ ବୈଠକରେ ଆଇସିସି ନିଜ କଥାରେ ଅଡ଼ି ବସିଥିଲା । ଯେଉଁଥିରେ ଗ୍ରୁପ ସିରେ ସାମିଲ ବାଂଲାଦେଶକୁ ମୁମ୍ବାଇ ଏବଂ କୋଲକତାରେ ମ୍ୟାଚ୍ ଖେଳିବାକୁ ହେବ ।

ଆଇସିସି ବିସିବିର ସମସ୍ତ ଦାବିକୁ ଖାରଜ କରିବା ପରେ ବାଂଲାଦେଶର ଟିମକୁ ନେଇ ଭାରତରେ କୌଣସି ବିପଦ ନାହିଁ ବୋଲି କହିଥିଲା । ତଥାପି ବିସିବି ରାଜି ନ ହେବା ପରେ ଆଇସିସି ବାଂଲାଦେଶକୁ ଅଲ୍ଟିମେଟମ ଦେଇଛି । ଯଦି ବିଶ୍ବକପ ଖେଳିବାର ରହିଛି, ତେବେ ଯେମିତି ହେଲେ ଭାରତ ଆସିବାକୁ ହେବ ବୋଲି କୁହାଯାଇଛି ! ନଚେତ ବିଶ୍ବକପରୁ ବାଦ୍ ରହିବ ।

ଆଇସିସି ବିସିବିକୁ ୨୧ ଜାନୁଆରୀ ଯାଏଁ ସମୟ ଦେଇଛି । ଏହାରି ଭିତରେ ବିସିବି ନିଷ୍ପତ୍ତି ନେଇ ଆଇସିସିକୁ ଜଣାଇବ । ଯଦି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଭାଗ ନ ନିଏ, ତେବେ ଆଇସିସି ରାଙ୍କିଂ ଆଧାରରେ କୌଣସି ବିକଳ୍ପ ଟିମକୁ ସାମିଲ କରାଯିବ । ଯେଉଁଥିରେ ସ୍କଟଲାଣ୍ଡ ସମ୍ଭାବିତ ଭାବେ ଲାଗ ଉଠାଇବ ।

Leave a comment