ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କଲା ଆଇସିସି
ଆଇସିସି ଟି୨୦ ବିଶ୍ବକପ ୨୦୨୬ ରୁ ବାଂଲାଦେଶ କ୍ରିକେଟ ଟିମ୍ ବାଦ୍ ପଡିସାରିଛି । ଆଇସିସି ଏବେ ବାଂଲାଦେଶ ପତ୍ରକାରଙ୍କୁ ମଧ୍ୟ ରୋକ୍ ଲଗାଇଛି । ଆଇସିସି ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କରିଦେଇଛି । ଏହା କେବଳ ଭାରତରେ ହେବାକୁ ଥିବା ମ୍ୟାଚ୍ ପାଇଁ ନୁହେଁ, ବରଂ ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍ ପାଇଁ ମଧ୍ୟ ବାରଣ କରାଯାଇଛି । ଆଇସିସି ଟି୨୦ ବିଶ୍ବକପକୁ ବାଂଲାଦେଶୀ ପତ୍ରକାର କଭର କରିପାରିବେ ନାହିଁ ।
ତେବେ ଏହି ମାମଲାରେ ଆଇସିସି ତରଫରୁ କୌଣସି ଅଫିସିଆଲ ସୂଚନା ମିଳିନାହିଁ । କିନ୍ତୁ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଖେଳ ପତ୍ରକାର ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ଆଇସିସି ମନା କରିଦେଇଛି ।
ସୂଚନାଯୋଗ୍ୟ, ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବାଂଲାଦେଶ ଭାରତକୁ ଟି୨୦ ବିଶ୍ୱକପ୍ ଖେଳିବାକୁ ଆସିବାକୁ ମନା କରିଦେଇଥିଲା । ବାଂଲାଦେଶ ଆଇସିସିକ ଅନୁରୋଧ କରିଥିଲା କି, ସେମାନଙ୍କ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ । ବାଂଲାଦେଶ ଯେଉଁ କାରଣ ଯୋଗୁଁ ଭାରତ ଆସିବାକୁ ମନା କରୁଥିଲା, ଆଇସିସି ତାହା ତଦାରଖ କରିବା ପରେ କୌଣସି ବିପଦ ନାହିଁ ବୋଲି କହିଥିଲା । ଫଳରେ ବାଂଲାଦେଶକୁ ଖେଳିବାକୁ ଭାରତ ଆସିବାକୁ ହେବ, ନଚେତ ଟି୨୦ ବିଶ୍ବକପ ଖେଳିବ ନାହିଁ ବୋଲି ଆଇସିସି ଅଲ୍ଟିମେଟମ ଦେଇଥିଲା । କିନ୍ତୁ ବାଂଲାଦେଶ ଶେଷରେ ଭାରତ ନ ଆସିବାକୁ ରାଜି ହେବାରୁ ଟି୨୦ ବିଶ୍ବକପରୁ ବାଦ୍ ପଡିଥିଲା ।
ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରାଯାଇଛି । ସ୍କଟଲାଣ୍ଡ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲି ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ଏହା ପରେ ସ୍କଟଲାଣ୍ଡ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ସେମାନଙ୍କର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ ।