ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଭେନ୍ୟୁ ଏବଂ ତାରିଖ ଘୋଷଣା କଲା ଆଇସିସି

ଆଇସିସି ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଭେନ୍ୟୁ ଏବଂ ତାରିଖ ଘୋଷଣା କରିଛି । ଛଅ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଫେବ୍ରୁଆରୀ ୧୪ରୁ ୨୮ ଯାଏଁ ଭାରତରେ କରାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ମୁମ୍ୱାଇ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

ଆଇସିସି ଅନୁସାରେ ଟୁର୍ଣ୍ଣାମେଣ୍ଟ ପ୍ରଥମେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହାକୁ ଭାରତକୁ ସ୍ଥାନାନ୍ତର କରାଯାଇଛି । ଶ୍ରୀଲଙ୍କା କ୍ରିକେଟର ପ୍ରଶାସନରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଏହାକୁ ଶ୍ରୀଲଙ୍କା ବାହାରକୁ ସ୍ଥାନାନ୍ତର କରାଯାଇଛି । ଆଇସିସି ଆୟୋଜକ ମୂଲ୍ୟାଙ୍କନ ମାନଦଣ୍ଡ ଆଧାରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ତିନି ଦାବିଦାର, ବାଂଲାଦେଶ, ଭାରତ ଏବଂ ଦକ୍ଷିଣ ଆଫ୍ରିକାର ମୂଲ୍ୟାଙ୍କନ କରିଥିଲା । ତା’ପରେ ଭାରତକୁ ବିକଳ୍ପ ଆୟୋଜକ ଭାବରେ ସୁପାରିଶ କରିଥିଲା । ଏହି ନିଷ୍ପତ୍ତିକୁ ଆଇସିସି ବୋର୍ଡ ସେପ୍ଟେମ୍ବର ୧ରେ ଅନୁମୋଦନ କରିଥିଲା ।

ଆଇସିସି ସଭାପତି ଜୟ ଶାହ କହିଛନ୍ତି, “ଆଇସିସି ମହିଳା ଚାମ୍ପିଅନ୍ସ ଟ୍ରଫି ୨୦୨୭ ମହିଳା କ୍ରିକେଟ୍ ପାଇଁ ଏକ ରୋମାଞ୍ଚକର ନୂତନ ଅଧ୍ୟାୟର ଆରମ୍ଭ । ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଭାବରେ, ଏହା ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ଉଚ୍ଚମାନର ପ୍ରତିଯୋଗିତାରେ ଏକାଠି କରିବ । ଏହା ଦଳଗୁଡ଼ିକୁ ରାଙ୍କିଙ୍ଗରେ ଉପରକୁ ଉଠିବା ଏବଂ ବିଶ୍ୱସ୍ତରୀୟ ପ୍ରସିଦ୍ଧି ହାସଲ କରିବା ପାଇଁ ଆହୁରି ଅଧିକ ପ୍ରେରଣା ପ୍ରଦାନ କରିବ ।”

ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କାର ଦଳ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟଟି ଟି-୨୦ ଫର୍ମାଟରେ ଖେଳାଯିବ, ଯେଉଁଥିରେ ଛଅଟି ଦଳ ରାଉଣ୍ଡ-ରବିନ୍ ଲିଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଶ୍ରେଷ୍ଠ ଦୁଇଟି ଦଳ ଫେବ୍ରୁଆରୀ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ଖେଳିବେ ।

Leave a comment