ଗୋଆରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୭ ନିଲାମ ପ୍ରକ୍ରିୟା
ଗୋଆରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୭ ନିଲାମ ପ୍ରକ୍ରିୟା । ତାରିଖ ଘୋଷଣା କଲେ ବିସିସିଆଇ ସମ୍ପାଦକ । ଆସନ୍ତା ଡିସେମ୍ବର ୧୬ ତାରିଖରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୭ ର ମିନି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥର ଗୋଆ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିବ। ଚଳିତ ବର୍ଷ ଗୋଆର ଆଇଟିସି ଗ୍ରାଣ୍ଡ ଗୋଆ ଠାରେ ଖେଳାଳିମାନଙ୍କ ନିଲାମ ହେବ।
ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଗୋଆରେ ନିଲାମ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଗତ ତିନୋଟି ସଂସ୍କରଣ ବିଦେଶ ମାଟିରେ ଅର୍ଥାତ ଦୁବାଇ, ଜେଦ୍ଦା ଏବଂ ଆବୁଧାବିରେ ହେବା ପରେ, ଏଥର ପୁଣିଥରେ ଏହି କାର୍ଯ୍ୟକ୍ରମ ଭାରତକୁ ଫେରିଛି। ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସେମାନଙ୍କର ରଖାଯାଇଥିବା ଏବଂ ମୁକ୍ତ କରାଯାଇଥିବା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ଦାଖଲ କରିବାକୁ ପଡ଼ିବ।
ନିଲାମର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୧୫ ରେ ବିସିସିଆଇ ଏବଂ ସମସ୍ତ ଫ୍ରାଞ୍ଚାଇଜ୍ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ସରକାରୀ ବୈଠକ ଅନୁଷ୍ଠିତ ହେବ। ୨୦୨୫-୨୦୨୭ର ଏହା ଶେଷ ମିନି-ନିଲାମ ହୋଇଥିବାରୁ ଦଳଗୁଡ଼ିକ ସେମାନଙ୍କର ବାକି ରହିଥିବା ସ୍ଥାନ ପୂରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୨୭ ମାର୍ଚ୍ଚ ୧୪ରୁ ମେ ୩୦ ପର୍ଯ୍ୟନ୍ତ ଆଇପିଏଲ୍ ଟୁର୍ନାମେଣ୍ଟ ଖେଳାଯିବାର ସମ୍ଭାବନା ରହିଛି।