ବିଜୟରୁ ସିଜିନ୍ ଆରମ୍ଭ କରିଥିବା ସିଏସ୍କେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ରେସ୍ରୁ ବାଦ ପଡ଼ିଲା
ଆଇପିଏଲ୍ର ସବୁଠୁ ସଫଳ ଟିମ୍ ଆଜି ପ୍ଲେ ଅଫ୍ରୁ ବିଦା । ଫେଲ୍ ମାରିଲା କ୍ୟାପ୍ଟେନସିପ୍, ଫେଲ୍ ମାରିଲା ଟିମ୍ । ନା ଚାଲିଲା ବ୍ୟାଟିଂର ଦମ୍ ନା ଚାଲିଲା ବୋଲିଂର ଯାଦୁ । ସବୁ ଡିପାର୍ଟମେଣ୍ଟରେ ଫେଲ୍ ମାରିଲା ଟିମ୍ । ଟ୍ରଫି ଜିତିବାର ଆଶା ବି ଚୁରମାର ହୋଇଗଲା । ଟିମ୍ର ପ୍ରଦର୍ଶନକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ବିଜୟରୁ ସିଜିନ୍ ଆରମ୍ଭ କରିଥିବା ସିଏସ୍କେ ଆଜି ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ରେସ୍ରୁ ବାଦ ପଡ଼ିଛି । ୧୦ଟି ମ୍ୟାଚ୍ରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ ୮ଟି ମ୍ୟାଚ୍ରେ ପରାଜୟର ସାମ୍ନା କରିଛି । ବର୍ତ୍ତମାନ ଚେନ୍ନାଇ ପାଖରେ ଆଉ ୪ଟି ମ୍ୟାଚ୍ ରହିଛି । ଯଦି ବି ୪ଟି ମ୍ୟାଚ୍ ଲଗାତାର ଜିତିବ ଚେନ୍ନାଇ । ତଥାପି ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିପାରିବ ନାହିଁ । ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିପାରେ ସିଏସ୍କେ । ତାଛଡ଼ା ପ୍ଲେ ଅଫ୍ ରେସ୍ରେ ଥିବା ଟିମ୍ମାନଙ୍କର ଗଣିତ ବିଗାଡ଼ିପାରେ ସିଏସ୍କେ ।
ସିଏସ୍କେରେ ବଡ଼ ବଡ଼ ଷ୍ଟାର ଖେଳାଳି ଥିବା ସତ୍ତ୍ୱେ ବି ଫେଲ୍ ମାରିଛି ଦଳ । ଟିମ୍ରେ ରଚିନ୍ ରବିନ୍ଦ୍ର, ଡେଭନ୍ କନୱେ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି । କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ୍ ମାରିଛି ଦଳ । ଅକ୍ସନରେ ଦଳ ତାଙ୍କର ପୁରୁଣା ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିଥିଲା । ଯେଉଁମାନଙ୍କୁ ନେଇ ଟିମ୍ ଆଗରୁ ଅନେକ ଥର ଟ୍ରଫି ହାତେଇଛି । କିନ୍ତୁ ଚଳିତ ସିଜିନ୍ରେ କାହାର ବି ପ୍ରଦର୍ଶନ ଭଲ ରହିଲା ନାହିଁ । ଏମିତିକି ଦଳ ଅଶ୍ୱିନ ଓ ରଚିନ ରବିନ୍ଦ୍ରଙ୍କୁ ପ୍ଲେଇଙ୍ଗ ଇଲେଭେନ୍ରୁ ବାଦ ଦେଇଥିଲା । ଶୁଭମ ଦୁବେଙ୍କ ଉପରେ ଦଳ ଭରସା କରିଥିବା ବେଳେ ସେ ବି ନିଜର କମାଲ ଦେଖାଇ ପାରିନାହାନ୍ତି
ଗାଏକ୍ୱାଡ୍ ସିଜିନ୍ର ଆରମ୍ଭ କିଛି ମ୍ୟାଚ୍ରେ କ୍ୟାପ୍ଟେନସିପ୍ ଭାର ତୁଲାଉଥିବା ବେଳେ ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡ଼ିଲେ । ଧୋନୀଙ୍କୁ ପୁଣି ଥରେ କ୍ୟାପ୍ଟେନସିପ୍ ଦିଆଗଲା । ଫ୍ୟାନ୍ସଙ୍କ ଆଶା ରହିଥିଲା କି ଧୋନୀଙ୍କ କ୍ୟାପ୍ଟେନସିପ୍ରେ ଦଳ ପ୍ଲେ ଅଫ୍ କ୍ୱାଲିଫାଏ କରିବ । କିନ୍ତୁ ନା ଚାଲିଲା ଧୋନୀଙ୍କ ବ୍ୟାଟ୍ ନା ଚାଲିଲା ଧୋନୀଙ୍କ କ୍ୟାପ୍ଟେନସିପ୍ର ମ୍ୟାଜିକ୍ । ହୋମ୍ ଗ୍ରାଉଣ୍ତରେ ବି ବାରମ୍ବାର ଫେଲ୍ ମାରିଲା ଦଳ । ତେବେ ଧୋନୀଙ୍କ ଫର୍ମକୁ ନେଇ ଏବେ ତାଙ୍କର ଅବସର କଥା ପୁଣି ଚର୍ଚ୍ଚା ହେଲାଣି । ଚଳିତ ସିଜିନ୍ ଶେଷରେ ଧୋନୀ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ସେପଟେ ବଡ଼ ବଡ଼ ଷ୍ଟାର ଖେଳାଳି ଫେଲ୍ ମାରିଥିବା ବେଳେ ୧୭ ବର୍ଷର ଆୟୁଷ ମହାତ୍ରେ କିନ୍ତୁ ଆଇପିଏଲ୍ରେ ନିଜର ଛାପ ଛାଡ଼ିଛନ୍ତି । ବିସ୍ଫୋରକ ଅନ୍ଦାଜରେ ବଡ଼ ବଡ଼ ବୋଲରଙ୍କୁ ଛକା ଚୌକା ବର୍ଷା କରିଛନ୍ତି ।