ବୟସ ସମ୍ପର୍କିତ ଜାଲିଆତି ମାମଲାରେ ଏକାସାଙ୍ଗରେ ୬୪ ଜଣ କ୍ରିକେଟରଙ୍କୁ ବ୍ୟାନ୍ କଲା ବିସିସିଆଇ

ବିସିସିଆଇ ନେଲା ବଡ଼ ପଦକ୍ଷେପ । ବୟସ ସମ୍ପର୍କିତ ଜାଲିଆତି ମାମଲାରେ ଏକାସାଙ୍ଗରେ ୬୪ ଜଣ କ୍ରିକେଟରଙ୍କୁ ବ୍ୟାନ୍ କରିଛି ବିସିସିଆଇ । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (CAB) ପକ୍ଷରୁ ଆୟୋଜିତ ପ୍ରି-ସିଜନ୍ ଡକ୍ୟୁମେଣ୍ଟେସନ୍ ଡ୍ରାଇଭରେ ଖେଳାଳିଙ୍କ ଜନ୍ମତାରିଖ ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ ସମୟରେ ଏହି ଅନିୟମିତତା ସାମ୍ନାକୁ ଆସିଛି ।

ଏହି ତାଲିକାରେ ୨୦୨୨ ଭାରତୀୟ ଅଣ୍ଡର-୧୯ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରବି କୁମାରଙ୍କ ନାମ ମଧ୍ୟ ରହିଛି ।  ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଭାରତୀୟ ଅଣ୍ଡର-୧୯ ଦଳରେ ଚୟନ ହୋଇଥିବା ଲେଗ୍ ସ୍ପିନର ରୋହିତ ଯାଦବଙ୍କ ବିରୋଧରେ ମଧ୍ୟ ବୟସ ଜାଲିଆତି ଅଭିଯୋଗ ମିଳିଛି।

CABର ପ୍ରି-ସିଜନ୍ ଡକ୍ୟୁମେଣ୍ଟେସନ୍ ଯାଞ୍ଚ ସମୟରେ ରୋହିତ ଯାଦବଙ୍କ ବୟସରେ ୨୭ ମାସର ଅନ୍ତର ଥିବା ଜଣାପଡ଼ିଛି । ଏହା ଜଣାପଡିବା ପରେ ତାଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍ ଦିଆଯାଇଛି । ରୋହିତ ଅଣ୍ଡର-୧୯ ସ୍ତରରେ ବଙ୍ଗଳା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ଭାରତୀୟ ଦଳ ପକ୍ଷରୁ ୫ଟି ଦିନିକିଆ ଏବଂ ୨ଟି ମଲ୍ଟି-ଡେ ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ଚୟନ କରାଯାଇଥିଲା । ତେବେ ଯାଞ୍ଚ ପରେ BCCI ତାଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲଗାଇଛି । BCCI ସହ ଜଡ଼ିତ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘକୁ ଏନେଇ ଅବଗତ କରାଯାଇଛି ।

ସେହିପରି ରବି କୁମାରଙ୍କ ବୟସରେ ୪୫ ମାସର ଅନ୍ତର ଥିବା ଜଣାପଡ଼ିଛି । ରବି କୁମାର ୨୦୨୨ ମସିହାରେ ଭାରତର ଅଣ୍ଡର-୧୯ ବିଶ୍ୱକପ୍ ବିଜେତା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ । ଏହା ବ୍ୟତୀତ ବାମହାତୀ ସ୍ପିନ୍ ଅଲରାଉଣ୍ଡର ବିଶାଳ ଭଟ୍ଟୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି ।

ବୟସ ଜାଲିଆତି ରୋକିବା ପାଇଁ ଖେଳାଳିଙ୍କ ଜନ୍ମ ପ୍ରମାଣପତ୍ର ସହ ସ୍କୁଲ୍ ଓ କଲେଜ୍ର ଶିକ୍ଷାଗତ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି । ଏହି ବ୍ୟାପକ ଯାଞ୍ଚ ପ୍ରକ୍ରିୟାରେ ଅନେକ ଖେଳାଳିଙ୍କ ରେକର୍ଡରେ ବର୍ଷ ବର୍ଷର ଅନ୍ତର ମିଳିଥିବା ଜଣାପଡ଼ିଛି । ବୟସ ଜାଲିଆତି ମାମଲାରେ ୬୪ ଜଣ ଖେଳାଳିଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a comment