ରଙ୍ଗାରଙ୍ଗ ପରିବେଶ ଭିତରେ ୩୮ତମ ଜାତୀୟ କ୍ରୀଡ଼ା ଉଦଘାଟିତ
ବଛା ବଛା କଳାକାରଙ୍କ ଦ୍ବାରା ଶିବ ତାଣ୍ଡବର ମନ୍ତ୍ରମୁଗ୍ଧକର ପରିବେଷଣ, ଆଖି ଝଲସେଇ ଦେଲାଭଳି ଲେଜର ସୋ’, ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିବା ସତରଙ୍ଗୀ ଆଲୋକମାଳା ଏବଂ ବଡ଼ ପରଦାରେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗକୁ ଗର୍ବରେ ଧାରଣ କରିଥିବା ହିମାଳୟ ପର୍ବତମାଳାର ଅମୂଲ୍ୟ ଜୈବ ବିବିଧତାକୁ ବର୍ଣ୍ଣନା କରୁଥିବା ବୃତ୍ତଚିତ୍ରର ମନୋରମ ପ୍ରଦର୍ଶନ ସହ ଉତ୍ତରାଖଣ୍ଡର ପାରମ୍ପରିକ ଲୋକନୃତ୍ୟ ଆଧାରରେ ୧୨୦୦ ସ୍କୁଲ୍ ଛାତ୍ରଙ୍କ ଦ୍ବାରା ଆୟୋଜିତ ସ୍ବତନ୍ତ୍ର ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମର ରଙ୍ଗାରଙ୍ଗ ପରିବେଶ ଭିତରେ ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡର ଡେରାଡୁନରେ ମଙ୍ଗଳବାର ଉଦ୍ଘାଟିତ ହୋଇଛି। କୋହଲା ପାଗ ସତ୍ତ୍ବେ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପରିବେଶ ସୁରକ୍ଷାର ବାର୍ତ୍ତା ଏବଂ ସବୁଜ ଖେଳର ଥିମ୍ ଏଥର ଜାତୀୟ କ୍ରୀଡ଼ାକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି। ସେହିଭଳି ପ୍ରଥମ ଥର ଲାଗି ଯୋଗ ଓ ମାଲଖମ୍ବ ସାମିଲ ହେବା ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଦେବାର ପ୍ରତିଶ୍ରୁତି ବହନ କରୁଛି।