ଅଲିମ୍ପିକ୍ସରେ ମୁଷ୍ଟିଯୁଦ୍ଧର ଭବିଷ୍ୟତ ନେଇ ଘୋର ଅନିଶ୍ଚିତତା‌ ସୃଷ୍ଟି

ଅଲିମ୍ପିକ୍ସରେ ମୁଷ୍ଟିଯୁଦ୍ଧର ଭବିଷ୍ୟତ ନେଇ ଘୋର ଅନିଶ୍ଚିତତା‌ ସୃଷ୍ଟି ହୋଇଛି। ବିଶ୍ବ ବକ୍ସିଂ (ଡବ୍ଲ୍ୟୁବି) ନାମରେ ଗଠିତ ବିଦ୍ରୋହୀ ସଂଘକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଦୃଢ଼ ସମର୍ଥନ ଦେଉଥିଲା ବେଳେ ସଦସ୍ୟରାଷ୍ଟ୍ର ପୁରୁଣା ମହାସଂଘ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ)କୁ ସମର୍ଥନ କରୁଛନ୍ତି। ଫଳରେ ମୁଷ୍ଟିଯୁଦ୍ଧ ଦୁନିଆ ଏକପ୍ରକାର ଦୁଇ ଫାଳ ହୋଇଛି। ଏସିଆ ମୁଷ୍ଟିଯୁଦ୍ଧ ସଂଘ ଡବ୍ଲ୍ୟୁବିରେ ଯୋଗଦେବା ବିପକ୍ଷରେ ଭୋଟ ଦେବା ପରେ ଏହି ସଙ୍କଟ ଆହୁରି ଘନିଭୂତ ହୋଇଛି। ଶନିବାର ଅନୁଷ୍ଠିତ ଗୁପ୍ତ ଭୋଟରେ ୨୧ ଦେଶ ଡବ୍ଲ୍ୟୁବିରେ ଯୋଗଦେବା ବିପକ୍ଷରେ ମତ ଦେଇଥିଲା ବେଳେ ୧୪ ଦେଶ ସପକ୍ଷରେ ମତ ଦେଇଛନ୍ତି।

ଗୋଟିଏ ଭୋଟ ନାକଚ ହୋଇଯାଇଥିଲା। ଫଳରେ ଡବ୍ଲ୍ୟୁବି ସହ ଆଇଓସିର ଅଡ଼ୁଆ ମଧ୍ୟ ବଢ଼ିଛି। ଅନ୍ୟପକ୍ଷରେ ଅଧିକ ସଦସ୍ୟଙ୍କ ସମର୍ଥନ ଦୃଷ୍ଟିରୁ ଆଇବିଏ ନିଜକୁ ମୁଷ୍ଟିଯୁଦ୍ଧର ଏକମାତ୍ର ସ୍ବୀକୃତିପ୍ରାପ୍ତ ବିଶ୍ବ ସଂଘ ଭାବେ ଦାବି କରିବା ଆରମ୍ଭ କରିଛି। ତେବେ ଆଇଓସିର ଦୃଢ଼ ସମର୍ଥନ ଦୃଷ୍ଟିରୁ ଏବେବି  ଡବ୍ଲ୍ୟୁବିର ପଲା ଭାରି ରହିଛି। ଏପରିକି ଜାତୀୟ ସଂଘଗୁଡ଼ିକ ଆଇବିଏକୁ ସମର୍ଥନ ଦେବା ଜାରି ରଖିଲେ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରୁ ମୁଷ୍ଟିଯୁଦ୍ଧକୁ ବାଦ୍ ଦେବାକୁ ଆଇଓସି ପୁନର୍ବାର ଧମକ ଦେଇଛି। ସୂଚନା ଅନୁସାରେ ଡବ୍ଲ୍ୟୁବିକୁ ୪୨ ସଦସ୍ୟ ଦେଶ ସମର୍ଥନ ଦେଉଥିଲା ବେଳେ ଆଇବିଏକୁ ୧୦୦ରୁ ଅଧିକ ସଦସ୍ୟ ଦେଶ ସମର୍ଥନ କରୁଛନ୍ତି। ଭାରତ ଡବ୍ଲ୍ୟୁବିକୁ ସମର୍ଥନ କରୁଥିବାରୁ ଆଇବିଏର କୋପ ଦୃଷ୍ଟିରେ ରହିଛି।