ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ
ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଶଙ୍ଖ ଭବନରେ ଆୟୋଜନ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ସରକାରରୁ ଯିବା ପରେ ବର୍ତ୍ତମାନ ବିଜେଡି ଆଗରେ ଅନେକ ଆହ୍ବାନ ସୃଷ୍ଟି ହୋଇଛି । ନିର୍ବାଚନରେ ପରାଜୟ ପରେ ବଡ ଆହ୍ବାନର ସମ୍ମୁଖୀନ ହେଉଛି ବିଜେଡି । ସାଧାରଣ ନିର୍ବାଚନ ପରେ ବରିଷ୍ଠ ନେତା ମାନେ ଦଳର ଶୀର୍ଷ ନେତୃତ୍ବଙ୍କ ଉପରେ ଅସନ୍ତୋଷ ଝାଡୁଥିବା ବେଳେ ପୌର ଓ ପଞ୍ଚାୟତ ସ୍ତରରେ ଦଳର ନେତା ଓ କର୍ମୀ ମାନେ ଦଳର ହାତଛାଡ଼ି ବିଜେପି ହାତ ଧରୁଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେଡି ଆକ୍ରମଣାତ୍ମକ ଆଭିମୁଖ୍ୟ ନେଉଥିବା ବେଳେ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଆଭିମୁଖ୍ୟ କଣ ରହିବ ସେନେଇ ବାର୍ତ୍ତା ଦେଇପାରନ୍ତି ନବୀନ। ୬ମାସର ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି ପୁଣିଥରେ ବିଜେଡି ଭୋଟରଙ୍କ ନିକଟତର ହେବାକୁ ପ୍ରତିଷ୍ଠା ଦିବସରୁ ଚେଷ୍ଟା କରିବାକୁ ଯାଉଛି।