କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଆସୁଛନ୍ତି । ଅମିତ ଶାହଙ୍କୁ ଭବ୍ୟ ସମ୍ବର୍ଧନା ଦେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।
ଶ୍ରୀ ଶାହାଙ୍କ ଅନେକ କାର୍ଯ୍ୟକ୍ରମ ସ୍ଥିର ରହିଛି । ଶ୍ରୀ ଶାହ ଭୁବନେଶ୍ୱରରେ ଆଜି ରାତ୍ରି ଯାପନ କରିବେ। ଆସନ୍ତାକାଲି ଅର୍ଥାତ ସୋମବାର ସକାଳେ ଶ୍ରୀ ଶାହା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସୋମବାର ପାଇଁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ଗହଳି ଥିବ, ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେ କଟକ ଗସ୍ତରେ ଯାଇ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଶ୍ରୀ ଶହା । ସୁବାଷ ବୋଷଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବେ। ଶ୍ରୀ ଶାହ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ତମ ବାର୍ଷିକ ଉତ୍ସବ ‘ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ପୁଣି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।