ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ
ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଶିକ୍ଷଣ ଶିବିରକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦ୍ଘାଟନ କରିବା ପରମ୍ପରା ରହିଥିବାବେଳେ ଗୃହର ସଦସ୍ୟ ନଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଶିବିର ଉଦ୍ଘାଟନ ପାଇଁ ଆମନ୍ତ୍ରଣ କରିବା ଗୃହ ପ୍ରତି ଅପମାନ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ପ୍ରଶିକ୍ଷଣ ବଦଳରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ ବୋଲି ଉଭୟ ବିଜେଡି ଓ କଂଗ୍ରେସ ନେତା କହିବା ସହ ଶିବିରରେ ଉଭୟ ଦଳର କୌଣସି ବିଧାୟକ ଯୋଗଦେବେନି ବୋଲି ସ୍ପଷ୍ଟ କରିଛନ୍ତି। କେବଳ ଶିବିରରେ ନୁହେଁ, ପ୍ରଶିକ୍ଷଣ ଦେବାକୁ ଆମନ୍ତ୍ରିତ ହୋଇଥିବା ଦୁଇଦଳର କୌଣସି ବରିଷ୍ଠ ସଦସ୍ୟ ଯୋଗଦେବେନି ବୋଲି ଦୁଇ ଦଳ ପକ୍ଷରୁ ବାଚସ୍ପତିଙ୍କୁ ପତ୍ର ଲେଖି ଅବଗତ କରାଯାଇଥିବା ଜଣାପଡ଼ିଛି। ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ସଂସଦୀୟ ନିୟମ ଅନୁଯାୟୀ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏ ସଂକ୍ରାନ୍ତରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ, କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ପ୍ରମୁଖ ବିଧାୟକଙ୍କୁ ମନ୍ତ୍ର ଦେବା କାର୍ଯ୍ୟକ୍ରମ କରାଯାଇଛି। ସଂସଦର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସର ପୁରୁଖା ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସଂସଦୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ସକାଳେ ବିଧାନସଭାରେ ନବାଗତ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବ। କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଶ୍ରୀ ରିଜ୍ଜୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ବିଜେଡି ଓ କଂଗ୍ରେସର ଏକାଧିକ ବରିଷ୍ଠ ନେତାଙ୍କୁ ପ୍ରଶିକ୍ଷଣ ଦେବାକୁ ନିମନ୍ତ୍ରଣ କରାଯାଇଛି। ଅପରପକ୍ଷରେ ପ୍ରଶିକ୍ଷଣ ଶିବିରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ ଓ ଉଦ୍ଯାପନୀ ଦିବସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ ବୋଲି ସମସ୍ତ ବିଧାୟକଙ୍କୁ ପତ୍ର ଯୋଗେ ସୂଚନା ଦିଆଯାଇଥିଲା। ବିଧାନସଭା ପରମ୍ପରା ଭଙ୍ଗ କରାଯାଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିବା ନେଇ ଆପତ୍ତି ଉଠାଇବା ସହିତ ଏହି ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ କୌଣସି ବିଧାୟକ ଯୋଗଦେବେ ନାହିଁ ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହାକୁ ସଂଶୋଧନ କରାଯାଇ ଧର୍ମେନ୍ଦ୍ରଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜ୍ଜୁ ଶିବିରକୁ ଉଦ୍ଘାଟନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ବା ଗୃହର ନେତା ଉଦ୍ଘାଟନ କରିଥାନ୍ତି । ମୁଖ୍ୟମନ୍ତ୍ରୀ ନଥିଲେ ବାଚସ୍ପତି କରିଥାନ୍ତି। ବିଜେପି ଏଥର କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଉଦ୍ଘାଟନ ଓ ଉଦ୍ଯାପନ କରିବା ଶୋଭନୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଥାଉ ଥାଉ ବିଧାନସଭା କାର୍ଯ୍ୟକ୍ରମକୁ ଗୃହର ସଦସ୍ୟ ନଥିବା କେନ୍ଦ୍ରମନ୍ତ୍ରୀ ଉଦ୍ଘାଟନ କରିବା ଶୋଭନୀୟ ନୁହେଁ ବୋଲି ବିରୋଧୀ ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ସହିତ ସ୍ବର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ପ୍ରଶିକ୍ଷଣ ଶିବିରକୁ ଶାସକ ବିଜେପି ଦଳୀୟ କାର୍ଯ୍ୟକ୍ରମ ପରି ଆୟୋଜନ କରୁଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କଂଗ୍ରେସ ବିଧାୟକମାନେ ଦୂରେଇ ରହିବେ ବୋଲି ଶ୍ରୀ କାଡାମ କହିଛନ୍ତି। ନବନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବା ଏକ ଭଲ କଥା। ଏହାର ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି। ତାଲିମ ନାଁରେ ବିଜେପି ଯଦି ଦଳର ପ୍ରଚାର କରିବ ତାହେଲେ କଂଗ୍ରେସ ଭାଗ ନେବନି। ବିଶେଷଜ୍ଞଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଉ। ଦେଶ, ରାଜ୍ୟରେ ଅନେକ ସମ୍ବିଧାନ ବିଶାରଦ ଅଛନ୍ତି। ସେମାନଙ୍କୁ ସାମିଲ କରାଯାଉ। ବିଧାନସଭାରେ ସମ୍ବିଧାନ ବିଶାରଦମାନେ ତାଲିମ ଦିଅନ୍ତୁ; କିନ୍ତୁ ତାଙ୍କ କେନ୍ଦ୍ରମନ୍ତ୍ରୀ ଆସି ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ ବୋଲି ଶ୍ରୀ କାଡାମ କହିଛନ୍ତି।