TVK ଏବଂ ବିରୋଧୀ ‘DMK’ ମଧ୍ୟରେ ରାଜନୈତିକ ଉତ୍ତେଜନା ଚରମ ସୀମାରେମୁଖ୍ୟମନ୍ତ୍ରୀ ବିଜୟଙ୍କ ସରକାର ଭାଙ୍ଗିବାକୁ ୩୫ କୋଟିର ପ୍ରଲୋଭନ ? ୩ ଗିରଫ
ତାମିଲନାଡୁରେ ଶାସକ ଦଳ ‘ତାମିଲାଗା ଭେଟ୍ରି କାଜାଗାମ୍’ (TVK) ଏବଂ ବିରୋଧୀ ‘DMK’ ମଧ୍ୟରେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବିଧାୟକଙ୍କୁ କିଣିବା (Horse-trading) ଏବଂ ସରକାର ଅସ୍ଥିର କରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଏକ ବଡ଼ ରାଜନୈତିକ ତୁମ୍ବିତୋଫାନ ସୃଷ୍ଟି କରିଛି।
TVK ବିଧାୟକ ଏନ୍. ଏଲାଇୟାରାଜା ଜୁନ୍ ୨୯ରେ ପୋଲିସରେ ଏକ ଅଭିଯୋଗ ଦାଖଲ କରିଥିଲେ। ସେ କହିଥିଲେ ଯେ, ଥିରୁନାଭୁକ୍କାରାସୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ଏକ ବଡ଼ ରାଜନୈତିକ ଦଳ ପକ୍ଷରୁ ସମ୍ପର୍କ କରିଥିଲେ। ବିଧାନସଭାରେ ବାଚସ୍ପତିଙ୍କ ବିରୋଧରେ ଆସିବାକୁ ଥିବା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବା ପାଇଁ ତାଙ୍କୁ୩୫ କୋଟି ଟଙ୍କାଦେବାର ପ୍ରଲୋଭନ ଦିଆଯାଇଥିଲା। ଏହାକୁ ଅସ୍ୱୀକାର କରିବାରୁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ପୋଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥିରୁନାଭୁକ୍କାରାସୁ, ନରେଶ ଏବଂ ଥିୟାଗାରାଜନଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସମ୍ପୂର୍ଣ୍ଣ ଘଟଣାର ମୂଳରେ ପୂର୍ବତନ DMK ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀ ଏବଂ ତାଙ୍କ ଭାଇ ଭି. ଅଶୋକ କୁମାରଙ୍କ ସଂଯୋଗ ରହିଛି।
ରାଜନୈତିକ ପ୍ରତିକ୍ରିୟା:
ମନ୍ତ୍ରୀ ପି. ନିର୍ମଲ କୁମାର ଅଭିଯୋଗ କରିଛନ୍ତି ଯେ, ଗତ ୪୦ ଦିନ ହେଲା DMK ଶାସକ ଦଳର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ସରକାରଙ୍କୁ ପକାଇବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଅନ୍ୟପକ୍ଷରେ, TVK ନିଜର ମେଣ୍ଟ ସହଯୋଗୀ କଂଗ୍ରେସ, VCK, IUML ଏବଂ MDMK ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ କରିଛି। ଏହି ବୈଠକରେ ଏକ ‘କମନ୍ ମିନିମମ୍ ପ୍ରୋଗ୍ରାମ୍’ ପ୍ରସ୍ତୁତ କରିବା ସହ ମେଣ୍ଟକୁ ମଜବୁତ କରିବା ଉପରେ ଆଲୋଚନା ହୋଇଛି।
ସରକାରୀ ଦଳ ଏହି ଅଭିଯୋଗ ମାଧ୍ୟମରେ ବିରୋଧୀଙ୍କୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ, DMK ମଧ୍ୟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଏହି ‘ହର୍ସ-ଟ୍ରେଡିଂ’ ବିବାଦ ତାମିଲନାଡୁ ବିଧାନସଭାରେ କିଭଳି ପ୍ରଭାବ ପକାଉଛି, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।