ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି।
ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ କିଛି ସଂଶୋଧନ ପରେ ଏହାକୁ ପୁନଃପ୍ରକାଶ କରାଯିବ ବୋଲି କୁହାଯାଇଥିଲା।
ବାସ୍ତବରେ, ବିଜେପିର ପ୍ରଥମ ତାଲିକା ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରକାଶ ପାଇଥିଲା। ପରେ ମଧ୍ୟାହ୍ନ ୧୨ ଟାରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିବର୍ତ୍ତନ ସହିତ ଏକ ନୂତନ ତାଲିକା ପ୍ରକାଶ କରିବା ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ୨ ଘଣ୍ଟା ମଧ୍ୟରେ ତାଲିକା ପ୍ରତ୍ୟାହାର କରାଯାଇଥିଲା।
ତା’ପରେ ପ୍ରାୟ ଅଧ ଘଣ୍ଟା ପରେ ଏକ ନୂତନ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ତିନିଟି ପର୍ଯ୍ୟାୟ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା। ନୂତନ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି ।