ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଚଳଚ୍ଚିତ୍ର ‘ପଶାପାଲି’,ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ନେତ୍ରୀ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର
ଓଡ଼ିଆ ସିନେମା ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ପଶାପାଲି’। ଆକ୍ସନ୍, ରୋମାନ୍ସ, ଆଉ ଥ୍ରୀଲରର ପାରମ୍ପରିକ ପରିସରରୁ ଅଲଗା ଏହି ଚଳଚ୍ଚିତ୍ରରେ ରହିଛି ରାଜନୈତିକ କୂଟନୀତି, କ୍ଷମତା ଆଉ କିଛି ଅକୁହା କାହାଣୀ। ମଙ୍ଗଳବାର ଭୁବନେଶ୍ୱର ପ୍ରେସ୍ କ୍ଲବରେ ଫିଲ୍ମଠାର ଉନ୍ମୋଚିତ ହୋଇଯାଇଛି ଫିଲ୍ମର ପ୍ରଥମ ପୋଷ୍ଟର୍।
ବଡ଼ କଥା ହେଲା ରସଗୋଲା ପାଇଁ ବିଶ୍ୱବିଖ୍ୟାତ ‘ବିକଳାନନ୍ଦ କର’ ବ୍ରାଣ୍ଡ୍ର ପ୍ରଯୋଜକ ପ୍ରଶାନ୍ତ କୁମାର କର ଏହି ସିନେମାର ନିର୍ମାଣ କରିଛନ୍ତି। ଅର୍ଥାତ୍ ‘ବିକଳାନନ୍ଦ କର’ ବ୍ରାଣ୍ଡ ଏହି ସିନେମା ଜରିଆରେ ପ୍ରଯୋଜନା କ୍ଷେତ୍ରରେ ଏଣ୍ଟ୍ରି କରିଛି। ସେହିଭଳି ଫିଲ୍ମ ଆଉ ଏକ କାରଣକୁ ନେଇ ମଧ୍ୟ ଚର୍ଚ୍ଚାରେ। କାରଣ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ନେତ୍ରୀ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର। ରାଜ୍ୟ ରାଜନୀତିର ବିଭିନ୍ନ ଅକୁହା କଥାକୁ ନେଇ ସୋସିଆଲ ମିଡିଆରେ ନିଜର ବାର୍ତ୍ତା ରଖି ଚର୍ଚ୍ଚାରେ ଥିବା ଶ୍ରୀମୟୀଙ୍କ ଏହି ସିନେମା ଦର୍ଶକଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି। ତେବେ ଏହା କୌଣସି ନିର୍ଦ୍ଦିଷ୍ଟ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରି ନିର୍ମାଣ କରାଯାଇନଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମୟୀ।ଭୁବନେଶ୍ୱର ପ୍ରେସ୍ କ୍ଲବ୍ଠାରେ ଆୟୋଜିତ ଏହି ପୋଷ୍ଟର ଉନ୍ମୋଚନ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସହ ନିର୍ଦ୍ଦେଶକ ସଞ୍ଜୟ ନାୟକ, ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ଦାଶ, ଅଭିନେତ୍ରୀ ପୁନମ ମିଶ୍ର, ଅଭିନେତା ରାଜ୍ ରାଜେଶ, ଦୁଷ୍ମନ୍ତ ପଣ୍ଡା ଓ ବିରଞ୍ଚି ନାୟକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ସଫଳତା କାମନା କରିଛନ୍ତି।ରାଜନୀତିକୁ ନେଇ ନୂଆ ଚଳଚ୍ଚିତ୍ର ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ଭରିଛି । ଓଡ଼ିଆ ସିନେମା ଶିଳ୍ପରେ ଏଭଳି ଭିନ୍ନ ସ୍ୱାଦର ରାଜନୈତିକ କାହାଣୀ ଆସିବାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ସାଉଁଟିଛି । ଚଳଚ୍ଚିତ୍ରର ନାମ ‘ପଶାପାଲି’ ଯେମିତି ଆକର୍ଷଣୀୟ, ଏହାର କାହାଣୀ ମଧ୍ୟ ସେତିକି ଗଭୀର। ଆଶା କରାଯାଇଛି ଏହା ବ୍ୟବସାୟିକ ଭାବେ ବେଶ୍ ସଫଳ ହେବ ।