ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି – ନବୀନ
ନବୀନଙ୍କ ବଡ଼ ଘୋଷଣା । ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର। ରାଜ୍ୟବାସୀ ଆମକୁ ୨୪ ବର୍ଷ କ୍ଷମତା ଦେଇଥିଲେ। ଏବେ ମଧ୍ୟ ଆମେ ରାଜ୍ୟର ବଡ଼ ଦଳ। ଆମର ସଫଳତା ପାଇଁ ବିଜେଡିର ପ୍ରତି କର୍ମୀ ଗର୍ବ କରିବା ଉଚିତ। ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀରେ ଏମିତି କିଛି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତେ ଯେ, ଲୋକଙ୍କ ଭଲ ପାଇବା ହିଁ ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବା। ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇକୁ ଜୋରଦାର କରିବା।ଅନ୍ୟପଟେ ନବୀନଙ୍କ ଗୁରୁମନ୍ତ୍ରକୁ ନେଇ ବରୀ ବିଧାୟକ ବିଶ୍ୱ ମଲ୍ଲିକ କହିଛନ୍ତି ଯେ, ବୁଧବାର ଆମର ୭ଟି ନିର୍ବାଚନ ମଣ୍ଡଳୀର ନେତାଙ୍କର ବୈଠକ ହୋଇଥିଲା। ନବୀନ ବାବୁ ଆମକୁ ଏଥିରେ ଗୁରୁମନ୍ତ୍ର ଦେଇଛନ୍ତି। ଆମ ଦଳ ଲୋକଙ୍କ ପାଖକୁ କେମିତି ଯିବ ସେନେଇ ଆଲୋଚନା ହେଲା। ଏଯାଏଁ ବିଜେପି ସରକାରରେ ପଞ୍ଚାୟତସ୍ତରରେ କିଛି କାମ ହେଉନି। ସବୁ କାମ ଠପ ହୋଇଯାଇଛି। ବିଜେପି କେମିତି ମିଛ କହି ସରକାରକୁ ଆସିଥିଲା। ତାକୁ ଲୋକଙ୍କ ପାଖକୁ ନେଇଯିବୁ। ବିଜେଡି ଯେଉଁ ସମୟରେ ସରକାର ଥିଲା ସେହି ସମୟରେ ରାଜ୍ୟ ଶୃଙ୍ଖଳାରେ ଚାଲିଥିଲା। ଏବେ ଦୁଷ୍କର୍ମ ଓ ହତ୍ୟା ଘଟଣା ବଢିଛି। ଏମିତି କି ଦଳରେ ମଧ୍ୟ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଥାନ୍ତି ନବୀନ। ଆମେ ଗାଁ ଗାଁ ବୁଲିବୁ। ଏବେ ଲୋକ ମଧ୍ୟ ନବୀନ ବାବୁଙ୍କୁ ଖୋଜିଲେଣି। ଆମେ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀରୁ ହଟାଇଲୁ ବୋଲି ଚିନ୍ତା କରୁଛନ୍ତି। ଆମେ ଏବେ ସରକାରରେ ନାହୁ। ତେଣୁ ସଂଗଠନକୁ ଗୁରୁତ୍ବ ଦେଇ ଲୋକଙ୍କ ପାଖକୁ ଯିବାକୁ ନବୀନ ବାବୁ ଆମକୁ ଆହ୍ୱାନ ଦେଇଛନ୍ତି।