ନ୍ ମାସରେ ଫ୍ରାନ୍ସରେ ହେବାକୁ ଥିବା ଜି୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପ ପରସ୍ପରକୁ ଭେଟି ପାରନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସର୍ବଦା ଚର୍ଚ୍ଚାରେ ରହିଥାଏ। ଗତବର୍ଷ ଫେବ୍ରୁଆରିରେ ହ୍ବାଇଟ୍ ହାଉସରେ ଦୁଇ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ସାକ୍ଷାତ ଆଲୋଚନା ପରଠାରୁ ଦୁଇ ରାଷ୍ଟ୍ରମୁଖ୍ୟ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପରସ୍ପରକୁ ଭେଟିପାରି ନାହାନ୍ତି। ତେବେ ଆସନ୍ତା ଜୁନ୍ ମାସରେ ଫ୍ରାନ୍ସରେ ହେବାକୁ ଥିବା ଜି୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପ ପରସ୍ପରକୁ ଭେଟି ପାରନ୍ତି।
ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ଶୈଳୀ ଦୃଷ୍ଟିକୋଣରୁ ଜି-୭ ସମ୍ମିଳନୀ ବୈଠକ ଅବସରରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ସ୍ବତନ୍ତ୍ର ବୈଠକକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କିନ୍ତୁ ଏହି ବୈଠକ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଦେଖାଦେଇଥିବା ବିବାଦର ସମାଧାନ କରିପାରିବ କି? ଭାରତ ଜି୭ର ସ୍ଥାୟୀ ସଦସ୍ୟ ନୁହେଁ, କିନ୍ତୁ ଏହା ନିୟମିତ ଭାବରେ ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ଭାବରେ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଆସୁଛି। ଚଳିତ ବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୁନ୍ ୧୫-୧୭ ରେ ଏଭିଆନ୍-ଲେସ୍-ବେନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ।ଟ୍ରମ୍ପ ରାଷ୍ଟ୍ରପତି ଭାବେ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ୨୦୨୫ ଫେବ୍ରୁଆରିରେ ମୋଦୀ ହ୍ବାଇଟ ହାଉସ ଯିବାରେ ପ୍ରଥମ କେତେକ ବିଶ୍ୱ ନେତାଙ୍କ ମଧ୍ୟରୁ ଜଣେ ଥିଲେ। ତେବେ ଶୁଳ୍କ ଉତ୍ତେଜନାର ପୃଷ୍ଠଭୂମିରେ ଅନୁଷ୍ଠିତ ଏହି ହାଇପ୍ରୋଫାଇଲ୍ ବୈଠକରେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ତମ ବନ୍ଧୁ ବୋଲି କହିଥିଲେ ଓ ଉଭୟ ୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଅପରେସନ ସିନ୍ଦୂର ପରେ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଆଶାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ନେଇ ବାରମ୍ବାର ଦାବି କରିଥିଲେ। ଭାରତ ସରକାର କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଖଣ୍ଡନ କରିଥିଲେ।
ଆମେରିକା ଭାରତ ଉପରେ ଚାପ ପକାଇବାକୁ ଶୁଳ୍କ ବୃଦ୍ଧି କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନିରବତା ବଜାୟ ରଖିଥିଲେ ଓ ଟ୍ରମ୍ପଙ୍କ ଧମକ ଆଗରେ ନଇଁ ନଥିଲେ। ଟ୍ରମ୍ପଙ୍କ ସହିତ ସାକ୍ଷାତ ନକରିବାକୁ ମୋଦୀ ଶାର୍ମ ଏଲ୍-ଶେଖରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଓ କ୍ୱାଲାଲମ୍ପୁରରେ ଆସିଆନ୍ ଶିଖର ସମ୍ମିଳନୀକୁ ମଧ୍ୟ ଏଡ଼ାଇ ଯାଇଥିଲେ।