ପରଲୋକରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ
ପୂର୍ବତନ ବିଧାୟକଙ୍କ ପରଲୋକ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଜେପୁର ପଞ୍ଚାୟତର ଦାନାରୀଗୁଡା ଗାଁରେ ଶିବାଜୀଙ୍କର ପରଲୋକ ଘଟିଛି ।
ଦୀର୍ଘଦିନ ହେବ ଶିବାଜୀ ମାଝୀ କିଡ଼ନୀ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ୨୦୦୯ ମସିହାରେ ସେ କଂଗ୍ରେସ ଟିକେଟରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରବର୍ତୀ ସମୟରେ ବିଜେଡିରେ ଯୋଗଦେଇଥିଲେ । ବିଜେଡିରେ ସାମିଲ ହେଲା ପରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ଜଣେ ଆଦିବାସୀ ନେତା ହିସାବରେ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।