ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ।

ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ ରାଜ୍ୟରେ ସରକାରକୁ ଆସିଥିବା ଭାଜପା ସମ୍ଭବତଃ ଓଡ଼ିଆ ଭାଷା ଠିକ୍‌ ଭାବରେ ବୁଝିପାରୁ ନାହିଁ। ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ, ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି । ଭାଜପା ନେତାମାନେ ଠିକ୍‌ଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି କିମ୍ବା ନ ବୁଝିପାରିବାର ଅଭିନୟ କରୁଛନ୍ତି। ଏହି ୫୦ ହଜାର ଟଙ୍କା ୨ ବର୍ଷରେ ନୁହେଁ ବରଂ ୫ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଭାଜପା ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ ।
କିନ୍ତୁ ଏସ୍‌ଓପି ଆସିବାପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି। ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଞ୍ଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଛୁରିଆ କହିଛନ୍ତି ।