MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ୯ ରେ ଲୋକସେବା ଭବନ ସମ୍ମୁଖରେ ଧାରଣ ଦେବ ବିଜେଡ଼ି

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରି MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ବିଜେଡି ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୦ଟା ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମୁଖରେ ଦଳ ପକ୍ଷରୁ ଏକ ବିଶାଳ ଧାରଣା ଦିଆଯିବ। ଏହି ପ୍ରତିବାଦ ସମୟରେ ବିଜେଡି ଲୋକପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ ବୋଲି ସୂଚନା ମିଳିଛି।

ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶାର ବହୁମୂଲ୍ୟ ଖଣି ଏବଂ ଖଣି ଥିବା ଜମିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଅଧୀନକୁ ନେବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। କେନ୍ଦ୍ର ସରକାରଙ୍କର ଏହି ଓଡ଼ିଶା ବିରୋଧୀ ନୀତି ବିରୁଦ୍ଧରେ ବିଜୁ ଜନତା ଦଳ ଆଗକୁ ରାଜ୍ୟବ୍ୟାପୀ ଏକ ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳ ସ୍ପଷ୍ଟ କରିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ସଂସଦରେ ପାରିତ ହୋଇଥିବା ଏମଏମଡିଆର ସଂଶୋଧନ ବିଲ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଇତିହାସରେ ଏକ ‘କଳା ଦିବସ’ ବୋଲି ଅଭିହିତ କରିଥିଲେ। ସେ କହିଥିଲେ, ଗତ ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟଙ୍କ ଏକ ୯ ଜଣିଆ ସମ୍ବିଧାନ ପୀଠ ରାଜ୍ୟଗୁଡ଼ିକୁ ଖଣିଜ ଜମି ଉପରେ ଟିକସ ଆଦାୟ କରିବାର ସାର୍ବଭୌମ ଅଧିକାର ପ୍ରଦାନ କରିଥିଲେ। ଏହି ରାୟ ଅନୁଯାୟୀ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ବକେୟା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ଏବଂ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ମିଳିଥାନ୍ତା। କିନ୍ତୁ କେନ୍ଦ୍ରର ନୂତନ ସଂଶୋଧନ ଆଇନ ଏହି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ରାଜ୍ୟର ଆର୍ଥିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି।

ଏମିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମଏମଡିଆର ଆକ୍ଟ ପ୍ରତ୍ୟାହାର କରିବା ସହ ରାଜ୍ୟ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବର୍ତ୍ତମାନର ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ପ୍ରସଙ୍ଗରେ କାହିଁକି ନୀରବ ରହିଲେ ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ, ସେ ନେଇ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରଶ୍ନ ଉଠାଇଛି ବିଜେଡି। ଓଡ଼ିଶାର ହକ୍ ଓ ସ୍ୱାଭିମାନ ରକ୍ଷା ପାଇଁ ଦଳ ଏଣିକି ସଡ଼କକୁ ଓହ୍ଲାଇବ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Leave a comment