୨୦୨୯ ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ ହେବ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (UCC) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହେବାକୁ ଥିବା ୩୦ ଦିନିଆ ‘ସେବା ସଂକଳ୍ପ ଅଭିଯାନ’ ର ଯୋଜନା ବିଷୟରେ ସୂଚନା ଦେବା ବେଳେ ଗୃହମନ୍ତ୍ରୀ ଏହି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ।
ମୁମ୍ବାଇଠାରେ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ, କେତେକ ରାଜ୍ୟରେ ୟୁସିସି ଲାଗୁ ହୋଇସାରିଛି । ୨୦୨୯ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ଶାସିତ ୨୧ଟି ଯାକ ରାଜ୍ୟରେ ୟୁସିସି କାର୍ଯ୍ୟକାରୀ ହେବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି । ବର୍ତ୍ତମାନ ୧୯ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏନ୍ଡିଏ କ୍ଷମତାରେ ରହିଛି। ଉତ୍ତରାଖଣ୍ଡ, ଗୁଜରାଟ ଓ ଆସାମରେ ୟୁସିସି ଲାଗୁ ହୋଇସାରିଥିବା ବେଳେ ମଧ୍ୟପ୍ରଦେଶରେ ୟୁସିସିର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।
ଏହା ସହିତ ସେ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶାସନର ୨୫ ବର୍ଷ ପୂରଣ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ପରିଚାଳନା କରାଯିବ । ଏଥିପାଇଁ ସମଗ୍ର ଏନ୍ଡିଏ ମେଣ୍ଟ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଏକାଠି ହୋଇଛନ୍ତି । ସେ କହିଛନ୍ତି ୨୦୧୪ ପୂର୍ବରୁ ଦେଶର ଜାତୀୟ ରାଜନୀତି ଦୁର୍ନୀତି, ଜାତିବାଦ ଓ ପରିବାରବାଦରେ ଗ୍ରସ୍ତ ଥିଲା । କିନ୍ତୁ ୨୦୧୪ ରୁ ୨୦୨୬ ମଧ୍ୟରେ ଏହି ସବୁ ପ୍ରସଙ୍ଗର ଊର୍ଦ୍ଧ୍ବକୁ ଯାଇ ପ୍ରଦର୍ଶନ ଓ ବିକାଶକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ଧାରା ୩୭୦ ଉଚ୍ଛେଦ, ତିନି ତଲାକ୍ ପ୍ରତ୍ୟାହାର ଓ ନକ୍ସଲବାଦର ମୂଳୋତ୍ପାଟନ କରିବାରେ ସଫଳ ହୋଇଛି