ମେଟ୍ରୋ ଟିଭି ଓଡିଶା (୧୫ .୩ . ୨୦୨୨) :
ଟୁଇନସିଟି ଭୁବନେଶ୍ୱର ଓ କଟକରେ ଥିବା ମଦ ବାରଗୁଡ଼ିକରେ ବାଉନ୍ସର ରଖିପାରିବେ ନାହିଁ । ବାର ମାଲିକମାନେ କେବଳ ପଞ୍ଜିକୃତ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିଗୁଡ଼ିକଠୁ ସୁରକ୍ଷା କର୍ମଚାରୀଙ୍କୁ ନେଇ ନିଜ ବାରରେ ନିୟୋଜିତ କରିପାରିବେ । ମଦ ବାରଗୁଡ଼ିକରେ ନିୟୋଜିତ ହେଉଥିବା ବାଉନ୍ସରମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ମିଳିବା ପରେ ନଭେମ୍ବର ୧ରେ ଟୁଇନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୂପ ନିର୍ଦ୍ଦେଶନାମା ୨ମାସ ପାଇଁ ଜାରି କରିଥିଲେ । ଏବେ ପୁଣିଥରେ କମିଶନରେଟ ପୋଲିସ ୨୦୨୨ ମାର୍ଚ୍ଚ ୧୧ରୁ ମଇ ୯ତାରିଖ ପର୍ଯ୍ୟନ୍ତ ପୂର୍ବ କଟକଣାକୁ ବଳବତ୍ତର ରଖିଛନ୍ତି ।

ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଯେ, ଟୁଇନସିଟି କମିଶନରେଟ ପୋଲିସ ଅଂଚଳରେ ଥିବା ମଦ ବାରଗୁଡ଼ିକର ସୁରକ୍ଷାରେ ତା’ର ମାଲିକମାନେ ବାଉନ୍ସର/ ନିଜସ୍ୱ ସୁରକ୍ଷାକର୍ମୀ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଏଭଳି ସୁରକ୍ଷାକର୍ମୀମାନଙ୍କ ନାଁରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନ୍ସର ମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ କରିବାର ଆଶଙ୍କା ରହୁଛି । ଏଣୁ ଉଭୟ ଭୁବନେଶ୍ୱର ଓ କଟକରେ ଥିବା ବାର ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ୨ମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।