ମା ଭୈରବୀ ପୀଠରେ କ୍ଷେତ୍ରବାସୀ ଏକାଡେମୀ ହାଇସ୍କୁଲ ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ ଉତ୍ସବ
ନିରାକାରପୁର: କାଶୀପୁର ନିକଟସ୍ଥ ପ୍ରସିଦ୍ଧ ମା ଭୈରବୀଙ୍କ ଶକ୍ତି ପୀଠରେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନେ ବନ୍ଧୁମିଳନ ଉତ୍ସବ ପାଳନ କରିଛନ୍ତି । ବନ୍ଧୁମିଳନ , ବଣଭୋଜି ପାଇଁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ମା ଭୈରବୀଙ୍କ ପୀଠରେ ମା ଙ୍କ ଆଶୀର୍ବାଦ ନେବା ସହ ହାଇସ୍କୁଲ ବେଳର ପାଠପଢ଼ା, ପୁରୁଣା ସ୍ମୁତିଚାରଣ କରିଥିଲେ । ଯିଏ ବି ଯେଉଁ କାର୍ଯ୍ୟରେ ଥାଉ ଅଂଚଳର ବିକାଶ ସହ ବନ୍ଧୁମାନଙ୍କର ସୁଖଦୁଃଖରେ ଭାଗିଦାର ହେବାକୁ ସମସ୍ତେ ଏକମତପ୍ରକାଶ କରିଥିଲେ । ଏହାସହ ମାଙ୍କ ପୀଠର ବିକାଶ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ଆଲୋଚନା କରିଥିଲେ । ମା ଭୈରବୀ ପୀଠର ବିକାଶ, ସୈାନ୍ଦର୍ଯ୍ୟକରଣ,ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କପାଇଁ ସମସ୍ତ ସୁବିଧା କିପରି ମିଳିପାରିବ ସେନେଇ କାର୍ଯ୍ୟ କରିବାକୁ ବନ୍ଧୁମିଳନ ଅବସରରେ ନିଷ୍ପତ୍ତି ନେଇଥିଲେ । ହାଇସ୍କୁଲରେ ଜ୍ଞାନ ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ବର୍ଧନା ଦିଆଯିବାପାଇଁ ମଧ୍ୟ ସହମତି ପ୍ରକାଶ ପାଇଥିଲା ।
30 ବର୍ଷ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବନ୍ଧୁମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ମା ଭୈରବୀ ପୀଠର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହେ ଫୁଲ ଗଛ ଲଗାଯିବା ସହ ଆଲୋକୀକରଣ, ପରିମଳ ସୁବିଧା ପାଇଁ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ କିଛି ସମୟ ଦେବାକୁ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରାଯାଇଥିଲା ।
ଏହି ଅବସରରେ ବନ୍ଧୁମାନଙ୍କ ପରିବାରର ଛୋଟ ପିଲାମାନଙ୍କ ପାଇଁ କିଛି କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବୟସ୍କମାନଙ୍କ ପାଇଁ ସଙ୍ଗୀତ ଚୌକିର ବ୍ୟବସ୍ଥା କରାଯାଇଥିଲା । ବନ୍ଧୁମାନଙ୍କ ଖାଦ୍ୟ ପେୟ ର ଅନନ୍ୟ ମଜା ସମସ୍ତେ ନେଇଥିଲେ। ବନ୍ଧୁମାନେ ହାଇସ୍କୁଲ ସମୟରେ ବିତାଇଥିବା ୩୦ ବର୍ଷର ସ୍ମୁତି ଅନୁଭୂତି ବାଣ୍ଟିଥିଲେ ।
ବନ୍ଧୁମିଳନ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିବା ବନ୍ଧୁମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ଏବେ କିଏ କେଉଁଠି କାର୍ଯ୍ୟ କରୁଛନ୍ତି କହିଥିଲେ । ଅନେକ ଦିନ ପରେ ବନ୍ଧୁମାନଙ୍କ ପୁଣି ପରିଚୟ ହୋଇଥିବାରୁ ଏହାର ଅନୁଭୂତି ନିଆରା ଥିଲା । ହାଇସ୍କୁଲ ସମୟର ଚେହେରା, ମୁଁହ, କଥା ଅବଶ୍ୟ କିଛି ବଦଳିଥିଲା କିନ୍ତୁ ସେଦିନର ସ୍ମୃତି ପରେ ପୁଣି ସମସ୍ତେ ନାଚ ଗୀତରେ ସାମିଲ ହୋଇ କିଛି ସମୟ ପାଇଁ ହସ, ଖୁସି ବାଣ୍ଟିଥିଲେ ।
କିଛି ବନ୍ଧୁ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁ ନଆସିପାରି ସୋସିଆଲ ମିଡିଆ ମାଧ୍ୟମରେ ଭିଡିଓ କଲ କରି ଦୁଃଖ ପ୍ରକାଶ କରିଥିଲେ। ସେମାନେ ଆଗାମୀ ଦିନରେ ବନ୍ଧୁମାନଙ୍କ ସହ ଯୋଡି ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ବନ୍ଧୁ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ବହୁ ଦୂରରୁ ଆସିଥିଲେ କେବଳ ବନ୍ଧୁମାନଙ୍କ ସହ ଦେଖାକରିବା ପାଇଁ । ମା ଭୈରବୀ ଏବଂ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ସମାପନ ହୋଇଥିଲା। ଆୟୋଜକ ମଣ୍ଡଳୀ ବନ୍ଧୁ କୁକୁଲି, ଜିତୁ, ବୁଲୁ, ନିର୍ମଳ, ଯୋଗୀ, ବିଜୟ, ଚଇନ,କାମା, ବାବୁଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ବନ୍ଧୁମାନେ ବହୁ ପରିଶ୍ରମ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଯେଉଁ ବନ୍ଧୁମାନଙ୍କର ଅକାଳରେ ବିୟୋଗ ଘଟିଥିଲା ( ଶ୍ରୀକୁମାର, କାମଦେବ, ଗଗି, ଗଣେଶ, ଦିଲ୍ଲୀପ,ଭିକୁ, ମିଲି,ସୁଶାନ୍ତ, ଜ୍ୟୋତ୍ସ୍ନା,ବିକ୍ରମ) ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବନ୍ଧୁମିଳନ ପୂର୍ବରୁ ପୀଠର ବିକାଶ ପାଇଁ ସମସ୍ତେ କିଛି ସମୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।