୧୭ ଓ ୧୮ ରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ
ବିହାର ବୈଠକ ପରେ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ପୂର୍ବ ବୈଠକ ନୀତିଶ ପାଟନାରେ ଡାକିଥିଲେ । ବିରୋଧୀ ଦଳ ନେତାଙ୍କ ପ୍ରଥମ ବୈଠକରେ ୧୫ଟି ଦଳର ନେତା ଭାଗ ନେଇଥିଲେ।
ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ବୈଠକ କଂଗ୍ରେସ ଆୟୋଜନ କରୁଛି। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ୨୪ଟି ବିରୋଧୀ ଦଳଙ୍କୁ କଂଗ୍ରେସ ତରଫରୁ ଆମନ୍ତ୍ରଣ କରାଯାଇଛି। ଆସନ୍ତା ୧୭ରେ ଏକ ନୈଶଭୋଜିର ଆୟୋଜନ କରାଯାଇଛି। ଏହି ବୈଠକରେ ବିଜେପିକୁ ପରାସ୍ତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାଗ ନେବାକୁ ନୂଆ ଦଳ ଭାବେ ଏମ୍ଡିଏମକେ, କେଡିଏମ୍କେ, ଭିସିକେ, ଆର୍ଏସପି, ଫରୱାର୍ଡ ବ୍ଲକ, ଆଇୟୁଏମ୍ଏଲ୍, କେରଳ କଂଗ୍ରେସ (ଯୋଶେଫ), କେରଳ କଂଗ୍ରେସ (ମଣି)ଙ୍କୁ ନିମନ୍ତ୍ରଣ କରାଯାଇଛି। ବୈଠକକୁ ନିମନ୍ତ୍ରିତ ହୋଇଥିବା ୨୪ଟି ବିରୋଧୀ ଦଳଙ୍କ ଲୋକସଭାରେ ମୋଟ୍ ସଦସ୍ୟ ସଂଖ୍ୟା ୧୫୦ ରହିଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।