ବିଶ୍ବ ଜନସଂଖ୍ୟା ଦିବସ
ବିଶ୍ୱ ଜନସଂଖ୍ୟା ଦିବସ ବିଶ୍ୱସାରା ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖ ଦିନ ପାଳିତ ହେଉଛି । ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ପ୍ରାଥମିକ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମ ୧୯୮୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉନସିଲଦ୍ୱାରା ପ୍ରଥମେ ଅନୁମୋଦିତ ହୋଇଥିଲା । ଜନସଂଖ୍ୟା ବୃଦ୍ଧି କ୍ରମରେ ହିସାବ କଲେ, ଜୁଲାଇ ୧୧, ୧୯୮୭ ଦିନ ବିଶ୍ୱ ଜନସଂଖ୍ୟା ଆନୁମାନିକ ପାଞ୍ଚଶହ କୋଟି ହୋଇଥିଲା । ଏହି ତଥ୍ୟକୁ ଭିତ୍ତିକରି, ସାର୍ବଜନିକ ହିତରେ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲୈଙ୍ଗିକ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ତଥା ମାନବାଧିକାର ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ । ୬ ଫେବୃଆରୀ ୨୦୧୬ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୭୪୦ କୋଟିରେ ପହଞ୍ଚି ସାରିଲାଣି । ଅତଏବ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସମୟୋପଯୋଗୀ ପଦକ୍ଷେପ ନ ନେଲେ ଏହା ବିଭିନ୍ନ ଉନ୍ନୟାନମୂଳକ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରତିବନ୍ଧକ ରୂପେ ଦେଖାଦେବ । ବିଶେଷ କରି ଭାରତରେ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା । ଏହା ପରିବେଶକୁ କିଭଳି ପ୍ରଭାବିତ କରୁଛି ତାହା ସହଜେ ଅନୁମେୟ । ୨୦୧୧ ମସିହାରେ ଜନସଂଖ୍ୟା ୭୦୦ କୋଟି ଛୁଇଁଥିବା ବେଳେ ୨୦୨୧ରେ ୭୯୦ କୋଟି ହୋଇଥିଲା। ଏହି ହାରରେ ଜନସଂଖ୍ୟା ବଢ଼ିଚାଲିଲେ ୨୦୩୦ ବେଳକୁ ତାହା ୮୫୦ କୋଟି ଡେଇଁବା ସହ ୨୦୫୦ରେ ୯୭୦ କୋଟି ଓ ୨୧୦୦ ବେଳକୁ ୧୦୯୦ କୋଟି ଟପିଯିବ ବୋଲି ଆକଳନ କରାଯାଉଛି। ଜନଗଣନା ଅନୁସାରେ ଚାଇନା ପଛକୁ ଭାରତ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର। ତେବେ କିଛି ତଥ୍ୟ ଅନୁସାରେ ଏବେ ଭାରତ ସବୁଠୁ ଜନବହୁଳ ଦେଶ । ଭାରତବର୍ଷର କ୍ଷେତ୍ରଫଳ ସମଗ୍ର ବିଶ୍ବ କ୍ଷେତ୍ରଫଳର ମାତ୍ର ୨.୪ପ୍ରତିଶତ। କିନ୍ତୁ ଆମ ଦେଶର ଜନସଂଖ୍ୟା ବିଶ୍ବ ଜନସଂଖ୍ୟାର ପ୍ରାୟ ୧୮ ପ୍ରତିଶତ। ଦ୍ରୁତଗତିରେ ଜନସଂଖ୍ୟା ବଢିବା କାରଣରୁ ସମସ୍ତଙ୍କ ପାଇଁ ଖାଦ୍ୟ ବସ୍ତ୍ର ଓ ବାସଗୃହ ଯୋଗାଇବାରେ ବିବିଧ ସଙ୍କଟ ସୃଷ୍ଟି ହେଉଛି । ଜନସଂଖ୍ୟା ବୃଦ୍ଧି ପଛରେ ଜନ୍ମହାର ବୃଦ୍ଧି,ମୃତ୍ୟୁହାର ହ୍ରାସ, ବଂଚିବାର ସମୟ ସୀମା ବୃଦ୍ଧି, ସଚେତନତା ଅଭାବ, ଶିଶୁ ମୃତ୍ୟୁହାରରେ ସୁଧାର, ଅନ୍ଧବିଶ୍ବାସ ଏହି ପରି ଅନେକ କାରଣ ରହିଛି। ଜନସଂଖ୍ୟା ବଢ଼ିଲେ ବିଶେଷ କରି ଆମ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗୁଛି ।