ଆତଙ୍କୀର ଘର ଉଡ଼ାଇଲେ ଯବାନ
ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ସମେତ ଦୁଇ ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ଘରରେ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହେବା ଫଳରେ ସେମାନଙ୍କ ଘର ଜଳିପୋଡ଼ି ନଷ୍ଟ ହୋଇଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଗୁରୁବାର ଏବଂ ଶୁକ୍ରବାର ମଧ୍ୟବର୍ତ୍ତୀ ରାତିରେ ଏହି ଘଟଣା ଘଟିଥିଲା। ଯେତେବେଳେ ଦକ୍ଷିଣ କାଶ୍ମୀରର ବିଜବେହାରା ଏବଂ ତ୍ରାଲର ଗୁରି ଗ୍ରାମରେ ସୁରକ୍ଷା ବାହିନୀ ଦ୍ୱାରା ଆଦିଲ ହୁସେନ ଠୋକର ଏବଂ ଆସିଫ ଶେଖଙ୍କ ଘରେ ତଲାସ କରାଯାଉଥିଲା। ସେହି ତଲାସୀ ଅଭିଯାନ ସମୟରେ ସେମାନଙ୍କ ଘରେ ଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ସର୍ଚ୍ଚ ଅପରେସନ ସମୟରେ ଘର ଭିତରେ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ସୁରକ୍ଷା ବାହିନୀ ଘରର ବାସିନ୍ଦା ଏବଂ ପଡ଼ୋଶୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା। ବିସ୍ଫୋରଣରେ ଉଭୟ ଘର କ୍ଷତିଗ୍ରସ୍ତ ହୋଇଥିଲା, ଯାହା ଫଳରେ ସେଗୁଡ଼ିକ ଧ୍ୱଂସ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।