ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗ

ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍‌କ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଏକ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ତା’ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି। ସେଥିରେ ପାଞ୍ଚ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ରହିଥିବା କୁହାଯାଉଛି । ଉତ୍ତରକାଶୀ ଜିଲ୍ଲା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଥିଲା ଯେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ୩୬ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ଏସଡିଆରଏଫ୍‌ ଉଦ୍ଧାରକାରୀ ଦଳକୁ ଆବଶ୍ୟକ ଉଦ୍ଧାର ଉପକରଣ ନେଇ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ଏସଡିଆରଏଫ୍‌ ଅନ୍ୟ ଉଦ୍ଧାରକାରୀ ୟୁନିଟ୍‌ ସହ ସମନ୍ଵୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ଏନଡିଆରଏଫ୍ ଓ ଏସଡିଆରଏଫ୍‌ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିଲିଫ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯାଞ୍ଚ ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗର ଆରମ୍ଭରୁ ପ୍ରାୟ ୨୦୦ ମିଟର ପରେ ଏକ ଅଂଶ ଖସି ପଡ଼ିଛି।