ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ


ଧାମନଗର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ବିଷ୍ଣୁ ସେଠୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏମସରୁ ତାଙ୍କ ପାର୍ଥିବ ଶରୀରକୁ ବିଜେପି ପାର୍ଟି ଅଫିସଠାରେ ଶେଷ ଦର୍ଶନ ପାଇଁ ରଖାଯାଇଛି ।

୬୧ ବର୍ଷ ବୟସରେ ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସକାଳୁ ସକାଳୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।


ବିଧାୟକ ବିଷ୍ଣୁ ସେଠୀ ଜଣେ ଟାଣୁଆ ନେତା ବି ଥିଲେ। ଗାଁ ସଭାଠାରୁ ବିଧାନସଭା ସବୁଠାରେ ଶୁଣିବାକୁ ମିଳୁଥିଲା ତାଙ୍କ ରୋକଠୋକ କଥା । ବିରୋଧୀଙ୍କୁ ଜବାବ ଦେବାରେ ବେଶ୍ ପରିଚିତ ଥିଲେ। ତାଙ୍କର ପରଲୋକରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଗଭୀର ଶୋକ ପ୍ରକାଶ କରିଛନ୍ତି ।


ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ବିଷ୍ଣୁ ସେଠୀ କିଡନୀ ରୋଗରେ ପୀଡ଼ିତ ହୋଇ ଗତ ଏକ ମାସ ହେଲା ଆଇସିୟୁରେ ଭର୍ତ୍ତି ଥିଲେ। ତାଙ୍କର ନିୟମିତ ଭାବରେ ଡାଇଲେସିସ୍ ଚାଲିଥିଲା। ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍‌ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ପରେ ସେ ବିଜେପିରେ ଯୋଗଦେଇଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଧାମନଗର ଆସନରୁ ଲଢ଼ିବା ପାଇଁ ବିଜେପିରୁ ମଧ୍ୟ ଟିକେଟ ପାଇଥିଲେ । ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲେ ବିଷ୍ଣୁ ସେଠୀ ।
ବିଷ୍ଣୁ ଭାଇଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।