ଉଜବେକିସ୍ତାନରେ ପ୍ରଧାନମନ୍ତ୍ରୀ: ଆଜି ପୁଟିନ, ଜିନପିଙ୍ଗଙ୍କୁ ଭେଟିବେ

ଉଜବେକିସ୍ତାନ ରାଷ୍ଟ୍ରପତି ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ସମରକନ୍ଦରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  

ଏସସିଓ ଶିଖର ସମ୍ମିଳନୀରେ ସାମୟିକ, କ୍ଷେତ୍ରୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ, ଏସସିଓ ସମ୍ପ୍ରସାରଣ ଓ ସଂଗଠନ ମଧ୍ୟରେ ବହୁମୁଖୀ ଓ ପାରସ୍ପରିକ ଲାଭଜନକ ସହଯୋଗ ଆହୁରି ଗଭୀର କରିବା ପାଇଁ ବିଚାର ଆଲୋଚନା କରାଯିବ । ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସମ୍ପର୍କରେ ବହୁ ନିଷ୍ପତ୍ତି ନିଆ ଯାଇପାରେ ।

ସମରକନ୍ଦ ଠାରେ ରାଷ୍ଟ୍ରପତି ମୀର୍ଜିୟୋୟେଭଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ । ୨୦୧୯ରେ ଭାଇବ୍ରାଣ୍ଚ ଗୁଜୁରାଟ ସମିଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଜବେକିସ୍ତାନ ରାଷ୍ଟ୍ରପତି । ଏହାସହିତ ଏହି ସମ୍ମିଳନୀରେ ଭାଗ ନେଉଥିବା ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।