ନବ ନିଯୁକ୍ତ ପ୍ରାୟ ୭୧ ହଜାର ପାଇଲେ ନିଯୁକ୍ତିପତ୍ର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି  ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ରୋଜଗାର ମେଳା ଦେଶବ୍ୟାପୀ ୪୫ଟି ସ୍ଥାନରେ ହେଉଥିବା ବେଳେ କେନ୍ଦ୍ର ସରକାରୀ ବିଭାଗ ଓ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଦେଶବ୍ୟାପୀ ନବନିଯୁକ୍ତମାନେ ଦେଶର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହେବେ । ସେଗୁଡ଼ିକ ମଧ୍ୟରେ ଗ୍ରାମୀଣ ଡାକ ସେବକ, ଡାକ ନିରୀକ୍ଷକ, କମର୍ସିଆଲ କମ ଟିକେଟ କ୍ଲର୍କ, ଜୁନିଅର କ୍ଲର୍କ ଓ ଟାଇପିଷ୍ଟ, ଜୁନିଅର ଆକାଉଣ୍ଟସ କ୍ଲର୍କ, ଟ୍ରାକ ମେଣ୍ଟେନର, ସହକାରୀ ଅନୁଭାଗ ଅଧିକାରୀ, ଏଲଡିସି, ଏସଡିଓ, ଟିକସ ସହକାରୀ, ସହକାରୀ ଏନଫୋର୍ସମେଣ୍ଟ ଅଧିକାରୀ, ନିରୀକ୍ଷକ, ସେବିକା ଅଧିକାରୀ, ସହକାରୀ ସୁରକ୍ଷା ଅଧିକାରୀ, ଆଗ୍ନିକ, ସହକାରୀ ଲେଖା ଅଧିକାରୀ, ସହକାରୀ ସମୀକ୍ଷା ଅଧିକାରୀ, ଡିଭିଜନାଲ ଏକାଉଣ୍ଟାଣ୍ଟ, ସମୀକ୍ଷକ, କନେଷ୍ଟବଲ, ହେଡ୍ କନେଷ୍ଟବଲ, ସହକାରୀ ଦୁର୍ଗପତି, ଅଧ୍ୟକ୍ଷ, ତାଲିମ ସ୍ନାତକ ଶିକ୍ଷକ, ସହକାରୀ ପଞ୍ଜିକାର, ସହକର୍ମୀ ଅଧ୍ୟାପକ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନବନିଯୁକ୍ତ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ନଅ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇ ଏହାକୁ ଦ୍ରୁତ, ସ୍ୱଚ୍ଛ ଓ ପାତରଅନ୍ତରବିହୀନ କରିଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । କର୍ମଚାରୀ ଚୟନ ବୋର୍ଡ ନବନିଯୁକ୍ତ ବାଛିବାରେ ୧୫ରୁ ୧୮ ମାସ ନେଉଥିବା ବେଳେ ବର୍ତ୍ତମାନ ଏହା ଛଅରୁ ଆଠ ମାସ ପର୍ଯ୍ୟନ୍ତ ଲାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗରୁ ନିଯୁକ୍ତି ପ୍ରକ୍ରିୟା ଜଟିଳ ଥିଲା । ଆବେଦନପତ୍ର ଡାକ ଦ୍ୱାରା ଦାଖଲ କରାଯାଉଥିବା ବେଳେ ବର୍ତ୍ତମାନ ତାହା ଅନଲାଇନରେ ଆବେଦନ କରିବାକୁ ପଡୁଛି ଓ ନଥିପତ୍ର ସତ୍ୟତାର ଅନୁମୋଦନ ନିଜେ କରିବାକୁ ବ୍ୟବସ୍ଥା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରୁପ ସି ଓ ଡି ପଦବୀ ନିମନ୍ତେ ସାକ୍ଷାତକାର ମଧ୍ୟ ଉଠାଇ ଦିଆ ହୋଇଛି ।

 ଗତ ନଅ ବର୍ଷ ମଧ୍ୟରେ ୪୦ ହକାର କିଲୋମିଟର ରେଳପଥର ବିଦୁତକରଣ କାର୍ଯ୍ୟ ଶେଷ ହୋଇଛି । ଗତ ସାତ ଦଶନ୍ଧି ମଧ୍ୟରେ ଏହା ପୂର୍ବରୁ ମାତ୍ର ୨୦ ହଜାର କିଲୋମିଟର ବିଦୁତକରଣ ହୋଇଥିଲା । ଦେଶର ମେଟ୍ରୋ ରେଲ ନେଟୱର୍କ ନେଇ ସେ କହିଥିଲେ ଯେ ୨୦୧୪ ପୂର୍ବରୁ ଦେଶରେ ଦିନକୁ ମାତ୍ର ୬୦୦ ମିଟର ମେଟ୍ରୋ ଲାଇନ ବିଛା ଯାଉଥିବା ବେଳେ, ଆଜି ତାହା ଛଅ କିଲୋମିଟର ହୋଇଛି ।

୨୦୧୪ ମସିହା ଆଗରୁ ଦେଶର ୪ ଲକ୍ଷ କିଲୋମିଟର ଗ୍ରାମ୍ୟ ସଡ଼କ ରହିଥିବା ବେଳେ ଆଜି ତାହା ୭.୨୫ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ୭୪ଟି ବିମାନ ବନ୍ଦର ଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ ୧୫୦କୁ ବୃଦ୍ଧି ପାଇଛି । ସେହିପରି ଗତ ନଅ ବର୍ଷ ମଧ୍ୟରେ ଚାରି କୋଟି ବାସଗୃହ ନିର୍ମିତ ହେବା ସହ ଏହା ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଦେଶରେ ୨୦୧୪ ପୂର୍ବରୁ ଷ୍ଟାର୍ଟଅପ ସଂଖ୍ୟା ମାତ୍ର ୧୦୦ ଥିବା ବେଳେ ଆଜି ତାହା ଏକ ଲକ୍ଷରୁ ଅଧିକ ହେବା ସହ ଦଶ ଲକ୍ଷ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଛି ।

୨୦୧୪ ମସିହା ଆଗରୁ ଦେଶରେ ୭୨୦ ବିଶ୍ୱବିଦ୍ୟାଳୟ ଥିବାବେଳେ ତାହା ବର୍ତ୍ତମାନ ୧୧୦୦କୁ ବୃଦ୍ଧି ପାଇଛି ।  ଗତ ନଅ ବର୍ଷ ମଧ୍ୟରେ ସରକାର ୧୫ଟି ନୂତନ ଏମ୍ସ ବିକଶିତ କରିଛନ୍ତି । ଦେଶରେ ମେଡିକାଲ କଲେଜ ୪୦୦ରୁ ୭୦୦କୁ ବୃଦ୍ଧି ପାଇଥିବା ବେଳେ, ଏମବିବିଏସ ଓ ଏମଡି ସ୍ଥାନ ସଂଖ୍ୟା ପ୍ରାୟ ୮୦ ହଜାରରୁ ୧ ଲକ୍ଷ ୭୦ ହଜାରରୁ ଅଧିକକୁ ବୃଦ୍ଧି ପାଇଛି ।