ବିହାର ପରେ ନିର୍ବାଚନ ଆୟୋଗ (ଇସି) ବର୍ତ୍ତମାନ ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରିବେ। ନିର୍ବାଚନ ଆୟୋଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିହାର ପରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରୁ ଦେଶରେ ଏସ୍ଆଇଆର ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଭୋଟର ତାଲିକାର ଯାଞ୍ଚ ହେବ। ଏ ବାବଦ ପ୍ରସ୍ତୁତି ପ୍ରକ୍ରିୟାକୁ ଆୟୋଗ ତ୍ବରାନ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ଆୟୋଗ ଏସ୍ଆଇଆର୍ ଅଧୀନରେ ଭୋଟର ତାଲିକାର ଗଭୀର ଯାଞ୍ଚ କରନ୍ତି। ଭୋଟର ତାଲିକା ଅପଡେଟ୍ କରିବା ଏବଂ ବେଆଇନ ଭୋଟର, ଯେପରିକି ବିଦେଶୀ ନାଗରିକ, ମୃତ ବ୍ୟକ୍ତି କିମ୍ବା ସ୍ଥାନାନ୍ତରିତ ଲୋକଙ୍କୁ ହଟାଇବା ଏହାର ଉଦ୍ଦେଶ୍ୟ। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଅକ୍ଟୋବର ୬ରେ କହିଥିଲେ ଯେ ସମସ୍ତ ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ କରିବାର କାର୍ଯ୍ୟ ଚାଲିଛି। ରାଜ୍ୟଗୁଡିକ ପାଇଁ ଏସ୍ଆଇଆର୍ ଆରମ୍ଭ କରିବାର ତାରିଖ ସ୍ଥିର କରିବାକୁ ତିନି କମିସନର ବୈଠକ କରିବେ। ନିର୍ବାଚନ କମିସନ ଭୋଟର ତାଲିକାରେ ଏସ୍ଆଇଆର୍ ପାଇଁ ୨ଟି ଉପାୟ ପରାମର୍ଶ ଦେଇଛନ୍ତି। ପ୍ରଥମ- ବୁଥ୍ ସ୍ତରୀୟ ଅଫିସର (ବିଏଲ୍ଓ) ଘରକୁ ଘର ବୁଲି ଏକ ପ୍ରି-ଫିଲ୍ଡ ଫର୍ମ ଗଣନା ଫର୍ମ (ଭୋଟର ସୂଚନା ଓ ଦସ୍ତାବିଜ) ନେବେ। ଦ୍ୱିତୀୟରେ ଯେକୌଣସି ବ୍ୟକ୍ତି ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍କୁ ଯାଇ ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିପାରିବେ।
ସ୍କ୍ରିନିଂର ୪ଟି ନିୟମ ରହିଛି। ଯଦି ଭୋଟରଙ୍କ ନାମ ୨୦୦୩ର ଭୋଟର ତାଲିକାରେ ଅଛି, ତେବେ କୌଣସି ଦସ୍ତାବିଜ ଦେବାକୁ ପଡ଼ିବ ନାହିଁ। କେବଳ ଫର୍ମ ପୂରଣ କରିବାକୁ ହେବ। ଯଦି ଜୁଲାଇ ୧, ୧୯୮୭ ପୂର୍ବରୁ ଜନ୍ମ ହୋଇଛନ୍ତି, ତେବେ ଜନ୍ମ ତାରିଖ କିମ୍ବା ସ୍ଥାନ ପ୍ରମାଣପତ୍ର ଦେବାକୁ ପଡ଼ିବ। ଯଦି ଜୁଲାଇ ୧, ୧୯୮୭ରୁ ଡିସେମ୍ବର ୨, ୨୦୦୪ ମଧ୍ୟରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କୁ ଉଭୟ ଜନ୍ମ ତାରିଖ ଓ ଜନ୍ମ ସ୍ଥାନର ପ୍ରମାଣ ଦେବାକୁ ପଡିବ। ଯଦି ଆପଣ ଡିସେମ୍ବର ୨, ୨୦୦୪ ପରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କୁ ଜନ୍ମ ତାରିଖ, ଜନ୍ମସ୍ଥାନ ଓ ପିତାମାତାଙ୍କ ଦସ୍ତାବିଜର ପ୍ରମାଣ ଦେବାକୁ ପଡିବ।