ବିହାର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନ୍ଡିଏ ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ବିରୋଧୀ ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଯାଇଛି। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଆର୍ଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ମହାମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଭିଆଇପି ଦଳ ଖାତା ଖୋଲି ପାରିନାହିଁ। ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମଧ୍ୟ ଗୋଟିଏ ଆସନ ହାସଲ କରିବାକୁ ସକ୍ଷମ ହୋଇ ପାରିନାହିଁ। ଅନ୍ୟପକ୍ଷରେ ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ଦଳ ୫ ଆସନ ହାସଲ କରି ମହାମେଣ୍ଟକୁ ଝଟକା ଦେଇଛି।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ, ଏନ୍ଡିଏର ଭୋଟ୍ ୪୭ ପ୍ରତିଶତ ରହିଥିବା ବେଳେ ମେଣ୍ଟକୁ ୨୦୨ ଆସନ ମିଳିଛି। ବିଜେପି ୮୯ଟି ଆସନରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ୮୫ଟି ଆସନ ହାସଲ କରି ଦ୍ବିତୀୟ ବୃହତ୍ତମ ଦଳ ହୋଇଛି। ଏନ୍ଡିଏର ଅନ୍ୟ ସଦସ୍ୟମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ୧୯ ଆସନରେ ବିଜୟୀ ହେବା ଦଳ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ଦଳର ସୁପ୍ରିମୋ ଚିରାଗ ପାସୱାନ ଏନ୍ଡିଏରେ ନିଜ ସ୍ଥିତି ସୁଦୃଢ କରିବାକୁ ସକ୍ଷମ ହୋଇଛନ୍ତି। ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ଏଚ୍ଏମ୍) ୫ଟି ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍) ୪ଟି ଆସନ ହାସଲ କରିଛି। ମହିଳା ମତଦାତାଙ୍କ ବ୍ୟାପକ ଅଂଶଗ୍ରହଣ ଓ ମୋଦୀ-ନୀତୀଶଙ୍କ ଆକର୍ଷଣୀୟ ପ୍ରଚାର ଦ୍ୱାରା ଏନ୍ଡିଏକୁ ଏଭଳି ସଫଳତା ମିଳିଛି ବୋଲି ଉଭୟ ବିଜେପି ଓ ଜେଡିୟୁ ନେତାମାନେ କହିଛନ୍ତି।
ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା।