ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି , ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍,ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୋଲିସ
ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି। ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍। ପୁଣି ଆଖି ପିଛୁଳାକେ ସେଠାରେ ଫେରାର ମଧ୍ୟ ହୋଇଗଲା। ଯାହାକୁ ନେଇ ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ଦ୍ବିପ୍ରହରରେ ଘଟିଛି ଏହି ଘଟଣା। ଦ୍ରୁତ ଗତିରେ ଆସି ଏକ କାର ବିଧାନସଭା ଗେଟକୁ ଧକ୍କା ଦେଇ ଭାଙ୍ଗିବା ପରେ ବିଧାନସଭା ପରିସରକୁ ପଶିଥିଲା। ହଠାତ ଏଭଳି ଘଟଣାକୁ ନେଇ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା। ତେବେ ଅଭିଯୁକ୍ତ ଧରିବା ପୂର୍ବରୁ ସେ ସେଠାରୁ କାର୍ ସହ ଖସିଯିବାରେ ସକ୍ଷମ ହୋଇଛି।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଦିଲ୍ଲୀ ବିଧାନସଭା ଗେଟ ସଂଖ୍ୟା ୨କୁ ଧକ୍କା ଦେଇ ଖସିଯାଇଛି। ଘଟଣା ଦିନ ସାଢ଼େ ୨ଟାରେ ଘଟିଛି। ପୋଲିସ ମାମଲାରେ ତୁରନ୍ତ ଆକ୍ସନ ନେଇ ଗାଡ଼ିର ଖୋଜ ଆରମ୍ଭ କରିଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ପଞ୍ଜିକୃତ ନମ୍ବର ଥିବା ଏକ ଗାଡ଼ି ଲୁହା ଗେଟ ଭାଙ୍ଗି ଗେଟ ନମ୍ବର ୨ରେ ପଶିଥିଲା। ଡ୍ରାଇଭର ସେଠାରେ ଫୁଲତୋଡ଼ା ରଖିଥିଲା ଏବଂ ସେଠାରୁ ଚାଲିଯାଇଥିଲା। ପୋଲିସ ଗାଡ଼ିର ଖୋଜ୍ ଜାରି ରଖିଛି।ଦିଲ୍ଲୀ ପୋଲିସର କହିବା ଅନୁସାରେ, ଗେଟ ୨ରେ ବର୍ତ୍ତମାନ ସିଆରପିଏଫଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍ ବିଧାନସଭାରେ ଏଣ୍ଟ୍ରି କରି କିଛି ସମୟ ସେଠାରେ ରଖିଥିଲା। ଆଉ ଏହାପରେ ସେଠାରୁ ଦ୍ରୁତ ଗତିରେ ଚାଲିଯାଇଥିଲା। ଏହି ଘଟଣା ରାଜ୍ୟ ବିଧାନସଭା ସୁରକ୍ଷା ପ୍ରୋଟୋକଲ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।