ତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଇଛନ୍ତି। ବିବାହ ପରେ ଉଭୟେ ସୋସିଆଲ୍ ମିଡିଆରେ ଏହାର ଘୋଷଣା କରିବା ସହ ଫେରାର୍ ହୋଇଯାଇଛନ୍ତି।
ଘଟଣାର ବିବରଣୀ:
ଏହି ଘଟଣାଟି କାନପୁର ଦେହାତର ଆକବରପୁର (Akbarpur) ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିଶେଷରେ ଯୁବକ ଜଣକ ନିଜ ସ୍ତ୍ରୀକୁ ଛାଡି ଶାଶୁଙ୍କୁ ନେଇ ଘରୁ ପଳାଇଥିଲେ ଏବଂ ଉଭୟେ କାନପୁର କୋର୍ଟରେ ପହଞ୍ଚି ଆଇନଗତ ଭାବେ ବିବାହ କରିଥିଲେ।
ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍:
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ବିବାହକୁ ଲୁଚାଇବା ପରିବର୍ତ୍ତେ ଉଭୟେ ଏକ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭାଇରାଲ୍ ଭିଡିଓରେ ସେମାନେ ପରିବାର ଏବଂ ସମାଜର କଥା ନଭାବି ସ୍ୱଇଚ୍ଛାରେ ବିବାହ କରିଥିବା ଦର୍ଶାଇଛନ୍ତି। ଏହା ସହ ନିଜର ନୂଆ ସମ୍ପର୍କ ପାଇଁ ଲୋକଙ୍କଠାରୁ ଆଶୀର୍ବାଦ ମଧ୍ୟ ମାଗିଛନ୍ତି।
ନବଦମ୍ପତି ଫେରାର୍ ଏବଂ ପରିବାର ସ୍ତବ୍ଧ: ଏହି ଘଟଣା ଏବଂ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ଏବଂ ପରିବାର ଲୋକେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଭିଡିଓ ପୋଷ୍ଟ କରିବା ପରଠାରୁ ଶାଶୁ ଓ ଜ୍ୱାଇଁ ଫେରାର୍ ଥିବା ବେଳେ ଏନେଇ ଏପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ପୂର୍ବରୁ ଆଲିଗଡ଼ରେ ମଧ୍ୟ ଘଟିଥିଲା ସମାନ ଘଟଣା:
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୟୁପିର ଆଲିଗଡ଼ ଜିଲ୍ଲାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ଝିଅର ବାହାଘର କାର୍ଡ ବଣ୍ଟା ସରିଥିବା ବେଳେ ବାହାଘର ପୂର୍ବରୁ ମା’ ନିଜର ହେବାକୁ ଥିବା ଜ୍ୱାଇଁଙ୍କ ସହ ଫେରାର୍ ହୋଇଯାଇଥିଲେ ଏବଂ ଉଭୟେ ବିବାହ କରିଥିଲେ।