ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
ଦିଲ୍ଲୀର ଜନ୍ତର ମନ୍ତରରେ ଆୟୋଜିତ ଏକ ପ୍ରତିବାଦ ସମୟରେ ଜଣେ ୧୪ ବର୍ଷୀୟା ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ହିନ୍ଦୁତ୍ୱ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଗିରଫ ପରେ ପାଟିଆଲା ହାଉସ୍ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ଅଭିଯୋଗ ଅନୁସାରେ, ଗତ ଜୁନ୍ ୨୩ରେ ନୀଟ୍ ପ୍ରଶ୍ନପତ୍ର ପ୍ରକାଶ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସମୟରେ ମୋବାଇଲରେ ଭିଡିଓ ସୁଟିଂକୁ ନେଇ ଭରଦ୍ୱାଜ ଓ ପୀଡ଼ିତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଥିଲା
ନିକଟରେ ଏକ ପୋଡକାଷ୍ଟରେ ଭରଦ୍ୱାଜ ନିଜର ରାଜନୈତିକ ସମ୍ପର୍କ ଥିବା ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଓ କପିଲ ମିଶ୍ରଙ୍କ ଭଳି ନେତାଙ୍କ ସହ ପରିଚୟ ଯୋଗୁଁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦାବି କରିଥିଲେ । ଏହାକୁ ନେଇ ବିରୋଧୀ ନେତାମାନେ ଆପତ୍ତି ଜଣାଇଥିଲେ। ପରେ ମାମଲାରେ ଏସ୍ସି/ଏସ୍ଟି ଆଇନ ମଧ୍ୟ ଯୋଡ଼ାଯାଇଛି ।
ଅନ୍ୟପଟେ, ନାବାଳିକାଙ୍କୁ ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗରେ ପୋକ୍ସୋ ଆଇନ ଅଧୀନରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଚିରାଗ ପାସୱାନଙ୍କ ଦଳ ମଧ୍ୟ ନିଜ ନାମର ଅପବ୍ୟବହାର ଅଭିଯୋଗରେ ଭରଦ୍ୱାଜଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି। ଚିରାଗ କହିଛନ୍ତି, ଗମ୍ଭୀର ଅପରାଧ ଘଟାଇ ରାଜନୈତିକ ଆଶ୍ରୟର ମିଥ୍ୟା ଧାରଣା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ।