ଦୁଷ୍କର୍ମ ମାମଲାଗୁଡ଼ିକ ବହୁସଂଖ୍ୟାରେ ବିଚାରାଧୀନ ରହିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ – ରାଷ୍ଟ୍ରପତି

କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ନେଇ ଜୋର୍‌ଦାର ପ୍ରତିବାଦ ଭିତରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଦୁଷ୍କର୍ମ ମାମଲାଗୁଡ଼ିକ ବହୁସଂଖ୍ୟାରେ ବିଚାରାଧୀନ ରହିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀର ସମାପନୀ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଦୁଷ୍କର୍ମ ଭଳି ମାମଲାରେ ଅଦାଲତର ରାୟ ଏକ ପିଢ଼ି ବିତିଯିବା ପରେ ଆସିବା ଚିନ୍ତାର କାରଣ ହୋଇଛି। ଏଭଳି କ୍ଷେତ୍ରରେ ସାଧାରଣ ଲୋକ ଅନୁଭବ କରନ୍ତି ଯେ ନ୍ୟାୟ ପ୍ରକ୍ରିୟାରେ ସମ୍ବେଦନଶୀଳତାର ଅଭାବ ରହିଛି।

ଲୋକମାନେ ନ୍ୟାୟପାଳିକାକୁ ‘ଦିବ୍ୟ’ ଭାବରେ ବିବେଚନା କରନ୍ତି। ଏହା ସେମାନଙ୍କୁ ବିଚଳିତ କରୁଛି। ଦୁଷ୍କର୍ମ ମାମଲାର ବିଚାରଣ କ୍ଷେତ୍ରରେ ଅହେତୁକ ବିଳମ୍ବ ସମସ୍ୟା ବଢ଼ାଉଛି। କାହାକୁ ନ୍ୟାୟ ମିଳିବା ବେଳକୁ ତାଙ୍କ ହସ ହଜି ଯାଇଥିବ ତ’ ଅନ୍ୟ କାହାର ଜୀବନ ହୁଏତ ଶେଷ ହୋଇଯାଇଥିବ। ଆମକୁ ଏହା ଉପରେ ଗଭୀର ଚିନ୍ତା କରିବା ଦରକାର।

ରାଷ୍ଟ୍ରପତି କହିଛନ୍ତି ଯେ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଅଦାଲତରେ ମୁଲତବୀ ସଂସ୍କୃତିକୁ ବଦଳାଇବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବା ଦରକାର। ଆମ ସାମାଜିକ ଜୀବନର ଏକ ଦୁଃଖଦାୟକ ଦିଗ ହେଉଛି ଯେ କେତେକ କ୍ଷେତ୍ରରେ ଧନୀ ବ୍ୟକ୍ତିମାନେ ଅପରାଧ କରିବା ପରେ ବି ମୁକ୍ତ ଭାବରେ ବୁଲୁଥିବା ବେଳେ ପୀଡ଼ିତାମାନେ ଭୟରେ ରହୁଛନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ। ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସୁପ୍ରିମ୍‌କୋର୍ଟର ପତାକା ଓ ଚିହ୍ନକୁ ଉନ୍ମୋଚନ କରିଥିଲେ।