ଆରଏସଏସ ଭାଜପା ପାଇଁ ନିଷ୍ପତ୍ତି ନେଇଥାଏ ବୋଲି କଥା ସତ୍ୟ ନୁହେଁ- ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, “ଆରଏସଏସ ଭାଜପା ପାଇଁ ନିଷ୍ପତ୍ତି ନେଇଥାଏ ବୋଲି କଥା ସତ୍ୟ ନୁହେଁ। ଆରଏସଏସ ଏକ ସ୍ୱାଧୀନ ଓ ସ୍ୱୟଂଶାସିତ ସଂଗଠନ। ଆମେ ପ୍ରତ୍ୟେକ ସରକାରଙ୍କ ସହ ଭଲ ସମନ୍ୱୟ ରଖୁଛୁ, କେବଳ ଏହି ସରକାରଙ୍କ ସହିତ ନୁହେଁ।”

ମୋହନ ଭାଗବତ କହିଛନ୍ତି ଯେ, “ବ୍ରିଟିଶମାନେ ଭାରତରେ ନିଜର ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିଲେ, ଯାହା ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଲୁପ୍ତ ହୋଇଯାଇଥିଲା। ଶିକ୍ଷା କେବଳ ତଥ୍ୟ ସଂଗ୍ରହ ନୁହେଁ, ଏହା ଏକ ବ୍ୟକ୍ତିକୁ ସଂସ୍କାରୀ କରିବାର ମାଧ୍ୟମ। ଛାତ୍ରଛାତ୍ରୀମାନେ ନିଜର ଅତୀତ ବିଷୟରେ ଜାଣିବା ଆବଶ୍ୟକ।” ସେ ଜାତୀୟ ଶିକ୍ଷା ନୀତି (ଏନଇପି)କୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଶଂସା କରିଛନ୍ତି ଏବଂ ଏହା ପଞ୍ଚକୋଶୀୟ ଶିକ୍ଷା ପାଇଁ ବ୍ୟବସ୍ଥା ରଖିଥିବା କହିଛନ୍ତି।

ଭାଗବତ କହିଛନ୍ତି, “ଭାରତକୁ ବୁଝିବା ପାଇଁ ସଂସ୍କୃତ ଶିଖିବା ଆବଶ୍ୟକ। ମୁଖ୍ୟଧାରା ଶିକ୍ଷାକୁ ଗୁରୁକୁଳ ଶିକ୍ଷା ସହ ଯୋଡ଼ିବା ଉଚିତ।” ସେ ଆହୁରି କହିଛନ୍ତି, “ଇଂରାଜୀ ଶିଖିବାରେ କୌଣସି ସମସ୍ୟା ନାହିଁ, ଏହା କେବଳ ଏକ ଭାଷା। କିନ୍ତୁ ଓଲିଭର ଟ୍ୱିଷ୍ଟ ପଢ଼ି ପ୍ରେମଚାନ୍ଦଙ୍କୁ ଭୁଲିଯିବା ଠିକ୍‌ ନୁହେଁ। ଆମ ମୂଲ୍ୟବୋଧ ଓ ପରମ୍ପରା ଛାତ୍ରଛାତ୍ରୀଙ୍କୁ ଶିଖାଇବା ଦରକାର।”

ତେବେ ଦେଶରେ ବେକାରୀ ସମସ୍ୟା ଉପରେ ମୋହନ ଭାଗବତ କହିଛନ୍ତି, “ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ପାଇବା ନୁହେଁ। ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ହେବାକୁ ଚେଷ୍ଟା କରନ୍ତୁ।”

ଭାଗବତ କହିଛନ୍ତି, “ବିଭିନ୍ନ ଦେଶରୁ ଆସିଥିବା ଲୋକେ ଆମ ସଂଘ ଶିକ୍ଷା ବର୍ଗ ଦେଖି କହିଛନ୍ତି ଯେ ସେମାନେ ନିଜ ଦେଶରେ ମଧ୍ୟ ଏପରି ସଂଗଠନ ଗଠନ କରିବାକୁ ଚାହାଁନ୍ତି।” ସେ ଆହୁରି କହିଛନ୍ତି, “ଜେପି ନାରାୟଣଙ୍କଠାରୁ ପ୍ରଣବ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ଅନେକେ ଆରଏସଏସ ବିଷୟରେ ନିଜ ମତ ବଦଳାଇଛନ୍ତି। ତେଣୁ ବିରୋଧୀଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନର ସମ୍ଭାବନାକୁ ଆମେ କେବେ ଅସ୍ୱୀକାର କରିବା ଉଚିତ ନୁହେଁ।”

Leave a comment