୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲାକୁ ଗ୍ୟାସରେ ପରିଣତ କରିବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି । ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି । ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି । ଏଥି ପାଇଁ ୬୦୦୦କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଆପାତତଃ ସ୍ଥିର ହୋଇଛି । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ ବିଚାର କରି କୋଇଲା ମନ୍ତ୍ରଣାଳୟ ଦେଖୁଛି । ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି । ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣୀଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍‌ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି । ଭାରତରେ ପ୍ରଚୁର କୋଇଲା ରହିଛି । ତାହାକୁ ଗ୍ୟାସରେ ପରିଣତ କଲେ ଦେଶରେ ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ତେବେ ଏହି ଗ୍ୟାସିଫିକେସନ ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ବା ଟେକ୍‌ନୋଲୋଜି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ । ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ, କେତେ କ୍ଷତି ହେବ ସେକଥା ମନ୍ତ୍ରଣାଳୟ ବିଚାର କରି ଦେଖୁଛି । ଭାରତର ଭବିଷ୍ୟତର ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ସରକାର ବିଭିନ୍ନ ବିକଳ୍ପକୁ ବିଚାର କରି ଦେଖୁଛନ୍ତି । ସ୍ୱଚ୍ଛ ଇନ୍ଧନ ଶସ୍ତା ହେଲେ ଦେଶର ଅର୍ଥନୀତି ଉପରେ ଏହାର ଉତ୍ତମ ପ୍ରଭାବ ପଡିବ ।

ଭାରତରେ କୋଇଲା ଗ୍ୟାସିଫିକେସନ ଟେକ୍‌ନୋଲୋଜିର ପ୍ରବର୍ତ୍ତନ ଫଳରେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ । ଏହା ଦ୍ୱାରା ଆମଦାନୀ ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ ।