ଜାଣନ୍ତୁ ଜଷ୍ଟିସ ସଂଜୀବ ଖାନ୍ନା କିଏ? ଯିଏ ହେବେ ପରବର୍ତୀ ମୁଖ୍ୟ ବିଚାରପତି
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଂଜୀବ ଖାନ୍ନା ହେବା ସ୍ପଷ୍ଟ ହୋଇଛି । ଏନେଇ ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ସୁପାରିଶ କରିଛନ୍ତି ।
ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନା ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ।ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ । ନଭେମ୍ବର ୧୧ରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ।
ତେବେ ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ । ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ।
୧୯୮୩ରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଏହାପରେ ହାଇକୋର୍ଟରେ ଓକିଲାତି କରିଥିଲେ। ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଟିଂ କାଉନସେଲ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ।
ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ।
ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜଷ୍ଟିସ ଚନ୍ଦ୍ରଚୁଡ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ସୁପାରିଶ କରିଛନ୍ତି । ଯଦି ଏହା ହୁଏ ତେବେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟର ୫୧ ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ମାତ୍ର ୬ ମାସ ରହିବ । ସେ ୨୦୨୫ ମେ’୧୩ ତାରିଖରେ ଅବସର ନେବେ । ସେପଟେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ ତାରିଖରେ ଅବସର ନେବେ ।