ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର
ଦିଲ୍ଲୀ ବିଧାନସଭା ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର । ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ ।
ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଦଳର ଷ୍ଟାର ପ୍ରଚାରକ ଓ ହେଭିୱେଟ ନେତା । ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ ।
୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ୍ । ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ ।
ଏହାଛଡ଼ା ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୁପେ ସଂପନ୍ନ କରାଇବା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ଆଇନଶୃଙ୍ଖଳା ସମ୍ଭାଳିବାକୁ ନିୟୋଜିତ ହେବେ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ।