ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା,ଦୁର୍ଘଟଣାରେ ପ୍ରାୟ ୩୦ରୁ ୪୦ ଶ୍ରମିକ ଗୁରୁତର

ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା। ଏଥିରେ ପ୍ଲାଣ୍ଟ୍‌ର ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ଘଟଣା ଘଟିଛି ଛତିଶଗଡ଼ ଶକ୍ତି ଜିଲ୍ଲାର ସିଂଘିତରାଈ ସ୍ଥିତ ବେଦାନ୍ତ ପାଓ୍ବର ପ୍ଲାଣ୍ଟରେ। ମଙ୍ଗଳବାର ଦ୍ବିପ୍ରହର ପ୍ରାୟ ୨ଟା ବେଳେ ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାଥମିକ ଯାଞ୍ଚରୁ ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ୪୦ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବେଦନଶୀଳ ରହିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୪ରୁ ୫ ଜଣକ ଜୀବନ ମଧ୍ୟ ଯାଇଥିବା ଆଶଙ୍କା କରାଯାଉଛି। ଅବଶ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଘଟଣା ପରେ ପ୍ଲାଣ୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରିତ କରିବାକୁ ଉଦ୍ୟମ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା କାରଣ ଜଣାପଡ଼ିନାହିଁ।

ଦୂର ଯାଏଁ ଶୁଭିଥିଲା ବିସ୍ଫୋରଣର ଶବ୍ଦ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିସ୍ଫୋରଣ ବହୁ ଦୂରକୁ ଶୁଣାଯାଇଥିଲା। ବଏଲର ବିସ୍ଫୋରଣ ଯୋଗୁ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଛି। ଗଣମାଧ୍ୟମର ସୂଚନା ଅନୁସାରେ, ଦୁର୍ଘଟଣା ବେଳେ ପ୍ଲାଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ। ଆହତଙ୍କୁ ଆମ୍ବୁଲାନ୍ସ ମଧ୍ୟମରେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଠାରେ ଅନେକ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ଶକ୍ତି ଜିଲ୍ଲା ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ସିଂଘିତାରାଈ ପହଞ୍ଚିଥିଲେ। ପ୍ଲାଣ୍ଟ ଭିତରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହୁରି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, କୌଣସି ଯାନ୍ତ୍ରିକ କିମ୍ବା ସୁରକ୍ଷା ତ୍ରୁଟି କାରଣରୁ ହୋଇଥିବା ଅନୁମାନ କରାଯାଉଛି।

Leave a comment