ଦେଶର ବିକାଶ ପାଇଁ ହିନ୍ଦୁମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି କହିଛନ୍ତି ପରମ ପୁଜନୀୟ ଡକ୍ଟର ମୋହନ ଭାଗବତ । ସେ କହିଛନ୍ତି ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି । ଆଗକୁ ବଢୁଛି ଭାରତ । ଭାରତ ଧାର୍ମିକ ମାର୍ଗରେ ପରିଚାଳିତ ହେବ । ବିଶ୍ବରେ ଯୁଦ୍ଧ ଲାଗି ରହିଛି । ଭାରତ କିନ୍ତୁ ଶାନ୍ତି ଚାହେଁ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ସେ ନିନ୍ଦା କରିଥିଲେ । ସଂଘର ପ୍ରତିଷ୍ଠା ଦିବସ ଅବସରରେ ଭାରତର କୋଣ ଅନୁକୋଣରୁ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ ଏପରି କହିଛନ୍ତି ଡ ଭାଗବତ । ୧୯୨୫ ମସିହା ବିଜୟା ଦଶମୀ ତିଥିରେ ରାଷ୍ଟ୍ର ନିର୍ମାଣ, ଜନସେବା, ପରମବୈଭବଶାଳି ରାଷ୍ଟ୍ର ଓ ଭାରତକୁ ବିଶ୍ଵଗୁରୁ କରିବାର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ। ବିଜୟା ଦଶମୀ ଅବସରରେ ଆଜି ନାଗପୁରରେ ଶସ୍ତ୍ର ପୂଜା କରିଛନ୍ତି ସଂଘର ସରସଂଘଚାଳକ ପରମପୁଜନୀୟ ମୋହନ ରାଓ ଭାଗବତ |
ଆସନ୍ତାବର୍ଷ ସଂଘକୁ ଶହେ ବର୍ଷ ପୂରଣ ହେବ । ଆଜି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ମହାରାଷ୍ଟ୍ରର ନାଗପୁର ସ୍ଥିତ ସଂଗଠନ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ପବିତ୍ର ବିଜୟା ଦଶମୀ ତିଥିରେ ଡ. କେଶବ ବଳିରାମ ହେଡଗେୱାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏହି ରାଷ୍ଟ୍ରୀୟ ସମାଜ ସେବୀ ସଂଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ଏକ ପଥସଞ୍ଚଳନ ଓ ଶସ୍ତ୍ର ପୂଜା କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିଜ୍ ମଧ୍ୟ ସାମିଲ ହୋଇଥିଲେ ।