ସଂସଦ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବାରୁ ଆଜି ବସିବ ସର୍ବଦଳୀୟ ବୈଠକ । ସଂସଦ ଅଧିବେଶନର ସୁପରିଚାଳନା ଲାଗି ବିରୋଧୀ ଦଳଙ୍କ ସହାୟତା ଲୋଡିବେ ସରକାର । ୧୮ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ୪ଟି ବିଲକୁ ମଞ୍ଜୁରୀ ଦିଆଯିବ ବୋଲି ମିଳିଛି ସୂଚନା । ସେଥିରେ ରହିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍, ଯାହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ଡାକଘର ବିଲ, ଆଡଭୋକେଟ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ସୂଚନା ମିଳିଛି । ସର୍ବଦଳୀୟ ବୈଠକରେ ସାମିଲ ହେବା ଲାଗି ସମସ୍ତ ବିରୋଧୀ ଦଳକୁ ଅନୁରୋଧ କରାଯାଇଥିଲା ।