ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଯେତେ ଶୀଘ୍ର ନିଷ୍ପତ୍ତି ନିଆଯିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଯେତେ ଶୀଘ୍ର ନିଷ୍ପତ୍ତି ନିଆଯିବ, ମହିଳାଙ୍କ ସୁରକ୍ଷାର ଅଧିକ ନିଶ୍ଚିତତା ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।ସୁପ୍ରିମକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଭାରତୀୟ ଗଣତନ୍ତ୍ରର ଜନନୀ ଭାବେ ଭାରତର ଗୌରବକୁ ଆହୁରି ବୃଦ୍ଧି କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଭାରତୀୟ ସମ୍ବିଧାନ ଏବଂ ଏହାର ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଏହା ଏକ ଗଣତନ୍ତ୍ର ଭାବରେ ଭାରତ ଅଧିକ ପରିପକ୍ୱ ହେବାର ଯାତ୍ରା ବୋଲି ସେ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସୁପ୍ରିମକୋର୍ଟ ଦେଶବାସୀଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥିଲେ ଏବଂ ପ୍ରତିଥର ରାଷ୍ଟ୍ରୀୟ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ସର୍ବଦା ଜାତୀୟ ଅଖଣ୍ଡତାକୁ ସୁରକ୍ଷା ଦେଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତବାସୀ କେବେ ବି ସୁପ୍ରିମକୋର୍ଟ କିମ୍ବା ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ନାହାନ୍ତି। ସେଥିପାଇଁ ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଗଣତନ୍ତ୍ରର ଜନନୀ ଭାବେ ଭାରତର ଗୌରବ ବୃଦ୍ଧି କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ, ଏଥିରେ ‘ସତ୍ୟମେବ ଜୟତେ’ କୁହାଯାଉଥିବା ଘୋଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷକ ଭାବେ ବିବେଚନା କରାଯାଏ ଏବଂ ଏହା ଏକ ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି। ଏହି ଦାୟିତ୍ବ ତୁଲାଇବା ପାଇଁ ସୁପ୍ରିମକୋର୍ଟ ଚମତ୍କାର ପ୍ରୟାସ କରିଛନ୍ତି ବୋଲି ଲୋକମାନେ ସନ୍ତୋଷର ସହ କହିପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି।