ତିନି ଦିନ ହେବ ବୋରୱେଲରେ ଶିଶୁ , ଉଦ୍ଧାର କାର୍ଯ୍ୟ ଜାରି
୧୫୦ ଫୁଟ ତଳେ ୩ ଦିନ ହେବ ଜୀବନ ସଂଘର୍ଷ କରୁଛି ୩ ବର୍ଷର ଶିଶୁ କନ୍ୟା । ରାଜସ୍ଥାନର କୋଟପୁତଲୀର ଢାଣି ଗାଁରେ ବୋରୱେଲ ଭିତରେ ଖସିପଡିଥିବା ଶିଶୁକନ୍ୟା ଚେତନାକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଜୋର ଲଗାଇ ଦେଇଛି । ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । କିନ୍ତୁ ଏବେ ବି ବୋରୱେଲ ଭିତରେ ଫଶି ରହିଛି ଜୀବନ ।
ବୋରୱେଲ ଭିତରେ ୩ ଦିନ ହେବ ଭୋକ ଉପାସରେ ପଡି ରହିଛି କୁନି ଶିଶୁ । କ୍ୟାମେରାରେ ମଧ୍ୟ ଶିଶୁକନ୍ୟାର କୌଣସି ମୁଭମେଣ୍ଟ ଦେଖିବାକୁ ମିଳୁନି । ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ନରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା । ଏହି ସମୟରେ ପାଖରେ ଥିବା ବୋରୱେଲରେ ଖସି ପଡିଥିଲା ଚେତନା । ପରିବାର ଲୋକ ଏନେଇ ସୂଚନା ଦେବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାରକାର୍ଯ୍ୟରେ ପାଇଲିଙ୍ଗ ମେସିନ ବ୍ୟବହାର କରାଯାଇଛି । କିନ୍ତୁ ଏଯାଏଁ ଶିଶୁକନ୍ୟାକୁ ବୋରୱେଲରୁ ବାହାର କରିବାରେ ସଫଳ ହୋଇନାହାନ୍ତି ଉଦ୍ଧାରକାରୀ ଦଳ ।