୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ଟିକାକରଣ ଶେଷ
ପାଦ ଏବଂ ପାଟି ରୋଗ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅବଧିରେ, ଦେଶରେ ପ୍ରାୟ ୨୪ କୋଟି ଗୋରୁ ଓ ମଇଁଷି ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଛି । ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୨୫.୮ କୋଟିରୁ ୯୫% ରୁ ଅଧିକ ଗୋରୁମାନଙ୍କୁ ଟିକାକରଣ କରାଯିବା ଫଳରେ ଗୋରୁମାନଙ୍କର ଗୋଷ୍ଠୀ ପ୍ରତିରକ୍ଷା ସ୍ତରରେ ବହୁତ ଆଗରେ ରହିଛି । ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍ଡି), ଭାରତ ସରକାର, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର / ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପଶୁପାଳକ ମାନଙ୍କର ସହଯୋଗ ଫଳରେ ଏହି ନୂତନ କୀର୍ତିମାନରେ ପହଞ୍ଚିବା ସମ୍ଭବ ହୋଇ ପାରିଛି ।
ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ୧୦୦% ଆର୍ଥିକ ଅନୁଦାନ ପ୍ରାପ୍ତ ଯାହାକି ଏଫଏମଡି ବିରୋଧରେ କେନ୍ଦ୍ର ସ୍ତରରେ ଟିକା ଆହରଣ କରୁଛି ଏବଂ ରାଜ୍ୟମାନଙ୍କୁ ଯୋଗାଣ କରୁଛି ଏବଂ ଟିକାକରଣ ଦେୟ, ଆନୁଷଙ୍ଗିକ ସାମଗ୍ରୀ, ସଚେତନତା ସୃଷ୍ଟି, ଶୀତଳ ପ୍ରବାହ ଶୃଙ୍ଖଳା ଭିତ୍ତିଭୂମି ଇତ୍ୟାଦି ମଧ୍ୟ ପ୍ରଦାନ କରୁଛି । ପଶୁପାଳନ କରୁଥିବା ମାଲିକମାନଙ୍କୁ ସେମାନଙ୍କ ପଶୁ ମାନଙ୍କୁ ଟିକାକରଣ କରିବା ପାଇଁ ବିଭିନ୍ନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ପଦକ୍ଷେପ ମାଧ୍ୟମରେ ଜାଗ୍ରତ ଏବଂ ସଚେତନ ହେବା ସହିତ ଏହି ସୁବିଧା ପାଇବା ପାଇଁ ନିକଟସ୍ଥ ପ୍ରାଣୀଧନ ସ୍ୱାସ୍ଥ୍ୟ କର୍ମୀ / ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଡିଏଏଚ୍ଡି ମଧ୍ୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ଅଧିକ ପ୍ରାଣୀ ସ୍ୱାସ୍ଥ୍ୟ କର୍ମୀ / ପାରାଭେଟମାନଙ୍କୁ ତାଲିମ ପ୍ରଦାନ କରିବାରେ ସହଯୋଗ କରୁଛି ।
ଆଶା କରାଯାଉଛି ଯେ, ଏଭଳି ନିରନ୍ତର ପ୍ରୟାସ କରାଯିବା ଦ୍ୱାରା ଦେଶରୁ ଗୋରୁମାନଙ୍କ ପାଦ ଏବଂ ପାଟି ରୋଗକୁ ନିୟନ୍ତ୍ରଣ କରିବା ଏବଂ ବିଲୋପ କରିବାର ଲକ୍ଷ୍ୟ ହାସଲ ହେବ ଯାହା ପଶୁପାଳକ/ପଶୁରକ୍ଷକମାନଙ୍କର ଆୟ ବୃଦ୍ଧି ତଥା ପ୍ରାଣୀଧନ ଉତ୍ପାଦଗୁଡ଼ିକ କ୍ଷେତ୍ରରେ ଭାରତର ବାଣିଜ୍ୟକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ।