ଯଦି ଆପଣ ଛୋଟ ଛୋଟ କଥାରେ ରାଗିଯାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିପାରନ୍ତି ଅନେକ ସମସ୍ୟା । ଯାହା ଆପଣ କେବେ ଭାବି ବି ନଥିବେ । ଏକ ଗବେଷଣାରୁ ଜଣାପଡିଛି ଯେ ମାତ୍ର ଆଠ ମିନିଟ୍ ତୀବ୍ର କ୍ରୋଧ ଶରୀରର ରକ୍ତବାହୀ ନଳୀକୁ ପ୍ରଭାବିତ କରିପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଅଳ୍ପ ସମୟର କ୍ରୋଧ ପରେ ରକ୍ତବାହୀ ନଳୀଗୁଡ଼ିକର ବିସ୍ତାର କ୍ଷମତା ପ୍ରାୟ ଅଧା ହ୍ରାସ ପାଇଥାଏ ଏବଂ ଏହି ପ୍ରଭାବ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ଏହାର ଅର୍ଥ ହେଉଛି କ୍ରୋଧ କେବଳ ଏକ ଭାବପ୍ରବଣ ପ୍ରତିକ୍ରିୟା ନୁହେଁ ବରଂ ହୃଦୟ ପାଇଁ ଏକ ଶାରୀରିକ ବିପଦ ମଧ୍ୟ ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ଯେ ଏହା ଆପଣଙ୍କ ଶରୀରକୁ କିପରି ପ୍ରଭାବିତ କରେ ।
ସୂଚନାନୁଯାୟୀ, ଯେ କ୍ରୋଧ ଅନ୍ୟ ନକାରାତ୍ମକ ଭାବନା ଅପେକ୍ଷା ହାର୍ଟ ଉପରେ ଭିନ୍ନ ଏବଂ ଅଧିକ ଶକ୍ତିଶାଳୀ ଭାବରେ ଚାପ ପକାଇଥାଏ । ଯେତେବେଳେ ଆମେ କ୍ରୋଧିତ ହେଉ, ଶରୀରରେ କର୍ଟିସୋଲ ଏବଂ ଆଡ୍ରେନାଲିନ୍ ଭଳି ଚାପ ହରମୋନ୍ ଦ୍ରୁତ ଗତିରେ ବୃଦ୍ଧି ପାଏ । ଏହି ହରମୋନ୍ ଧମନୀଗୁଡ଼ିକର ଭିତର ଆବରଣକୁ ସଙ୍କୁଚିତ କରିଥାଏ, ଯାହା ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ ଏବଂ ରକ୍ତଚାପ ବୃଦ୍ଧି କରିଥାଏ । ଅଧିକ ସମୟ ରାଗିବା ଦ୍ବାରା, ଏହା ପ୍ଲାକ୍ ଜମା, ହୃଦଘାତ କିମ୍ବା ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କ୍ରୋଧକୁ ହାଲୁକା ଭାବରେ ନେବା ଭଲ ନୁହେଁ । ଯଦି ଜଣେ ବ୍ୟକ୍ତି ପ୍ରାୟତଃ ଚିଡ଼ିଚିଡ଼ା ହୁଅନ୍ତି କିମ୍ବା ଛୋଟ ଛୋଟ କଥାରେ କ୍ରୋଧିତ ହୁଅନ୍ତି, ତେବେ ତାଙ୍କୁ ଚାପ ପରିଚାଳନା କୌଶଳ ଗ୍ରହଣ କରିବା ଉଚିତ । ଗଭୀର ନିଶ୍ୱାସ ପ୍ରଶ୍ୱାସ, ନିୟମିତ ବ୍ୟାୟାମ, ଯୋଗ କିମ୍ବା ଧ୍ୟାନ ଭଳି କୌଶଳ ହୃଦୟକୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରେ । ଆବଶ୍ୟକ ହେଲେ, ପରାମର୍ଶଦାତା କିମ୍ବା ଚିକିତ୍ସକଙ୍କ ସହ କଥା ହେବା ମଧ୍ୟ ଲାଭଦାୟକ ହୋଇପାରେ ।