ଶିଳ୍ପ ସ୍ଥାପନ ସହ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମିଳୁଛି ,କିନ୍ତୁ ସେହି ଅନୁସାରେ ରାଜ୍ୟରେ ହେଉନି ନିଯୁକ୍ତି
ପ୍ରତିବର୍ଷ ରାଜ୍ୟ ବଜେଟ ବଢୁଛି । ବଜେଟ ପରିମାଣ ବଢ଼ି ବଢ଼ି ୨୦୨୫-୨୬ ବର୍ଷରେ ୩ଲକ୍ଷ କୋଟି ପାଖାପାଖି ପହଁଚିଛି । ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ମଧ୍ୟ ବଢୁଛି । ଶିଳ୍ପ ସ୍ଥାପନ ସହ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମିଳୁଛି । କିନ୍ତୁ ସେହି ଅନୁସାରେ ରାଜ୍ୟରେ ହେଉନି ନିଯୁକ୍ତି । ବଢ଼ି ଚାଲିଛି ବେକାରୀ ସଂଖ୍ୟା । ସରକାରଙ୍କ ତଥ୍ୟ ଅନୁସାରେ ୨୦୨୪ ଶେଷ ସୁଦ୍ଧା ରାଜ୍ୟରେ ୧୧ଲକ୍ଷ ୯୭ ହଜାର ୪୯୭ ଶିକ୍ଷିତ ବେକାରୀ ଅଛନ୍ତି । ଶେଷ ପାଞ୍ଚ ବର୍ଷ ଭିତରେ ୩ଲକ୍ଷ ୧୩ ହଜାର ୮୫୮ ବେକାରୀ ସଂଖ୍ୟା ବଢ଼ିଛି । ଏମାନେ ସମସ୍ତେ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି ।
ପିଜି କରି ୪୮ ହଜାର ୬୭୮ ଛାତ୍ରଛାତ୍ରୀ ଚାକିରି ଅପେକ୍ଷାରେ ଅଛନ୍ତି । ଡିପ୍ଲୋମା କରି ୪୩ ହଜାର ୭୫୫, ଆଇଟିଆଇ କରି ୩୪ ହଜାର ୩୩୨, ବିଇଡି କରି ୨୦, ୭୧୮, ୫୪ ହଜାର ୬୯୪ ଜଣ ଟ୍ରେଣ୍ଡ ଟିଚର ବେକାର ହୋଇ ବସିଛନ୍ତି । ତେବେ ସରକାରରୀ ତଥ୍ୟ ବାଦ ବାସ୍ତବରେ ବେକାରୀ ସଂଖ୍ୟା ବହୁ ଅଧିକ ହେବ ।
ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ୩୦ ଜିଲ୍ଳାରେ ୮୨ଟି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ସ୍ଥାପନ କରାଯାଇଛି । ସେହି ତାଲିମ କେନ୍ଦ୍ରମାନଙ୍କରେ ପ୍ରତ୍ୟେକ ଜିଲ୍ଲା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ବର୍ଗର ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଉଛି । କିନ୍ତୁ ରାଜ୍ୟକୁ ଆସୁଥିବା ଶିଳ୍ପଗୁଡ଼ିକ ନିଯୁକ୍ତି ସୃଷ୍ଟିକାରୀ ହୋଇନଥିବାରୁ ବିଶେଷ ସୁଯୋଗ ମିଳୁନି । ତେଣୁ ପୁଞ୍ଜିନିବେଶ ସମୟରେ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ୨୦୨୫ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ୧୪୫ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ୧୬ଟି ସେକ୍ଟରରୁ ପ୍ରାୟ ୧୩ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ସେଥିରେ ୮ଲକ୍ଷ ୯୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ନିଯୁକ୍ତି ଦେବାରେ ସରକାର କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।