ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚର୍ମ କର୍କଟ ଏକ ଚିନ୍ତାର ବିଷୟ ହୋଇ ରହିଛି
ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଶ୍ରେୟସ୍କର’ ପ୍ରବାଦଟି ଚର୍ମ କର୍କଟ ବିଷୟରେ ବିଚାର କରିବା ବେଳେ ଖୁବ୍ ପ୍ରାସଙ୍ଗିକ। ଚର୍ମ କର୍କଟ ସାଧାରଣତଃ ଚର୍ମର ତନ୍ତୁ ମଧ୍ୟରେ ମାଲିଗ୍ନାଣ୍ଟ୍ କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ଦ୍ୱାରା ହୋଇଥାଏ। ଯଦିଓ ଏହା ପ୍ରାୟତଃ ସୂର୍ଯ୍ୟକିରଣ ସହିତ ଜଡ଼ିତ, ଏହା ବେଳେ ବେଳେ ସୂର୍ଯ୍ୟକିରଣରୁ ସୁରକ୍ଷାପ୍ରାପ୍ତ ଚର୍ମରେ ମଧ୍ୟ ବିକଶିତ ହୋଇପାରେ। ପାଶ୍ଚାତ୍ୟ ବିଶ୍ୱ ତୁଳନାରେ ଭାରତରେ ଏହାର ପ୍ରାଦୁର୍ଭାବ କମ୍ ଥିଲେ ମଧ୍ୟ, ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚର୍ମ କର୍କଟ ଏକ ଚିନ୍ତାର ବିଷୟ ହୋଇ ରହିଛି।
ଚର୍ମ କର୍କଟ ସାଧାରଣତଃ ତିନି ପ୍ରକାରର; ଯଥା ବାସାଲ୍ ସେଲ୍ କାର୍ସିନୋମା, ସ୍କ୍ୱାମସ୍ ସେଲ୍ କାର୍ସିନୋମା ଏବଂ ମେଲାନୋମା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ସମଗ୍ର ଭାରତରେ ଚର୍ମ କର୍କଟ ରୋଗର ଆଞ୍ଚଳିକ ପରିବର୍ତ୍ତନକୁ ଦର୍ଶାଇଛି। ଉତ୍ତର ଭାରତରେ ମେଲାନୋମାର ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ ଉତ୍ତର-ପୂର୍ବ ଅଞ୍ଚଳରେ, ବିଶେଷକରି ନାଗାଲାଣ୍ଡରେ ଅଣମେଲାନୋମା ଅଧିକ ଦେଖା ଯାଇଛି।
ଚର୍ମ କର୍କଟ ବିପଦକୁ ହ୍ରାସ କରିବା ପାଇଁ ଅତି ବାଇଗଣୀ ରଶ୍ମି ସଂସ୍ପର୍ଶ ବିରୋଧରେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା ହେଉଛି ପ୍ରଥମ ପ୍ରତିରକ୍ଷା। ସୂର୍ଯ୍ୟ ସଂସ୍ପର୍ଶକୁ ସୀମିତ କରିବା, ବିଶେଷକରି ଭୀଷଣ ଖରା ସମୟରେ ଛାଇରେ ରହିବା ଆଦି ପ୍ରଭାବଶାଳୀ ପ୍ରତିଷେଧକ ହୋଇପାରିବ। ଏଥି ସହିତ ପ୍ରତ୍ୟହ ବ୍ରଡ୍-ସ୍ପେକ୍ଟ୍ରମ୍ ସନ୍ସ୍କ୍ରିନ୍ ପ୍ରୟୋଗ ଅତିରିକ୍ତ ସୁରକ୍ଷା ଯୋଗାଇପାରିବ। ସେହିପରି ଇ-ସିଗାରେଟ୍ ସମେତ ଧୂମପାନରୁ ଦୂରେଇ ରହିବା ଆଦି ପଦକ୍ଷେପ ସ୍କ୍ୱାମସ୍ ସେଲ୍ କାର୍ସିନୋମା ଓ ମେଲାନୋମା ହେବାର ବିପଦକୁ କମାଇଦିଏ।
ବୟସ ବଢ଼ିବା ସହିତ ଚର୍ମ କର୍କଟ ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଚର୍ମରେ ଦେଖାଦେଉଥିବା ପରିବର୍ତ୍ତନ ଉପରେ ନଜର ରଖିବା ଉଚିତ। ଆବଶ୍ୟକ ସ୍ଥଳେ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ଆଲୋଚନା ମାଧ୍ୟମରେ ଚର୍ମ କର୍କଟ ବିପଦ ଚିହ୍ନଟ କରିବା ଗୁରୁତ୍ବପୂର୍ଣ୍ଣ।
ଚର୍ମ କର୍କଟ ପରୀକ୍ଷଣ ବା ନିରୂପଣ ପାଇଁ କର୍କଟ କିମ୍ବା ପ୍ରାକ୍କର୍କଟ ଅବସ୍ଥାର ସୂଚକ ସ୍ବରୂପ ଚର୍ମ ଉପରେ କୌଣସି ନୂତନ ବୃଦ୍ଧି, ଦାଗ କିମ୍ବା ଅସ୍ୱାଭାବିକତାକୁ ବିଶ୍ଳେଷଣ କରାଯାଇଥାଏ। ଯଦି କୌଣସି ଚିନ୍ତାର କ୍ଷେତ୍ର ଚିହ୍ନଟ ହୁଏ, ତେବେ କର୍କଟ କୋଷର ଉପସ୍ଥିତି ନିଶ୍ଚିତ କରିବା ପାଇଁ ଚର୍ମ ବାୟୋପ୍ସି ପରି ଅଧିକ ପରୀକ୍ଷା ସୁପାରିସ କରାଯାଇପାରେ। ମେଲାନୋମାର ଅଧିକ ବିପଦ ଥିବା ବ୍ୟକ୍ତି କୋଷୀୟ ସ୍ତରରେ ଚର୍ମ କର୍କଟ ଚିହ୍ନଟ କରିବା ପାଇଁ ସମ୍ପୂର୍ଣ୍ଣ ଶରୀରର ୩ଡି ଇମେଜିଂ କିମ୍ବା କନ୍ଫୋକାଲ୍ ମାଇକ୍ରୋସ୍କୋପି ଭଳି ଉନ୍ନତ ଇମେଜିଂ ପଦ୍ଧତିରେ ସ୍କ୍ରିନିଂ କରାଯାଇଥାଏ। ଏହି ଅତ୍ୟାଧୁନିକ ପରୀକ୍ଷଣ କୌଶଳଗୁଡ଼ିକ ମେଲାନୋମାକୁ ପ୍ରାରମ୍ଭିକ ସ୍ତରରୁ ଚିହ୍ନଟରେ ସାହାଯ୍ୟ କରିଥାଏ, ବିଶେଷକରି ଶରୀରରେ ଅନେକ କଳାଜାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଲାଭଦାୟକ। ସମ୍ପୂର୍ଣ୍ଣ ଶରୀରର ୩ଡି ଇମେଜିଂ ସହିତ, ଡାକ୍ତରମାନେ ଶରୀରର ଏକ ଡିଜିଟାଲ୍ ମଡେଲ୍ ତିଆରି କରି ପ୍ରତିଟି ଚର୍ମକ୍ଷତର ବିସ୍ତୃତ ତର୍ଜମା କରିପାରିବେ। ଚର୍ମ କର୍କଟ ସ୍କ୍ରିନିଂ ସାମଗ୍ରିକ ପ୍ରତିରୋଧକ ସ୍ୱାସ୍ଥ୍ୟର ଏକ ଅଂଶ ହୋଇପାରେ।