ଏସ୍ସିବି ଆଇସିୟୁ ବେଡ୍ରୁ ମହିଳା ରୋଗୀ ଖସିପଡିବା ଘଟଣା, ମେଡିକାଲ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ
ଏସ୍ସିବି ଆଇସିୟୁ ବେଡ୍ରୁ ମହିଳା ରୋଗୀ ଖସିପଡିବା ଘଟଣା। ଏସସିବି ମେଡିକାଲ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ କରାଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି। ସେପଟେ ଏସ୍ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍ ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇସିୟୁ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ତିନି ଜଣ ନର୍ସିଂ ଅଫିସରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରମାଣ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳା ରୋଗୀ ବିଷକ୍ରିୟା ଯୋଗୁଁ ଏସ୍ସିବିର ମେଡିସିନ୍ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତାଙ୍କ ହାତକୁ ଗଜ୍ କପଡ଼ାରେ ବାନ୍ଧି ରଖାଯାଇଥିଲା। ମହିଳା ଜଣକ ତାକୁ ଛିଣ୍ଡାଇ ତଳେ ପଡ଼ିଯାଇଥିଲେ। ଡ୍ୟୁଟିରେ ଥିବା ନର୍ସ ଏହି ସମୟରେ ଅନୁପସ୍ଥିତ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ନିକଟରେ ଥିବା ଜଣେ ବୃଦ୍ଧଙ୍କ ମୁହଁରୁ ଅକ୍ସିଜେନ୍ ମାସ୍କ ବାହାରି ତଳେ ପଡ଼ିଯାଇଥିଲା। ସେଠାରେ ବି ନର୍ସିଂ ଅଫିସର ଅନୁପସ୍ଥିତ ଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇସିୟୁ ଇନ୍ଚାର୍ଜ, ପ୍ରଫେସର ଜୟନ୍ତ ପଣ୍ଡା, ଦୁଇ ଜଣ ଆସୋସିଏଟ୍ ପ୍ରଫେସର, ଦୁଇ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍ଆର୍ ଡାକ୍ତର, ନର୍ସିଂ ଅଫିସର ପ୍ରମୁଖ ଯୋଗ ଦେଇଥିଲେ। ରବିବାର ରାତିରେ ଡ୍ୟୁଟି କରିଥିବା ଡାକ୍ତର, ନର୍ସିଂ ଅଫିସର୍, ଆଟେଣ୍ଡାଣ୍ଟ, ସୁରକ୍ଷାକର୍ମୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଭିଡିଓରେ ସତ୍ୟାସତ୍ୟ ପ୍ରମାଣ ମିଳିବା ପରେ ଏସ୍ସିବି ରେଜିଷ୍ଟ୍ରାର ସୁବାସ ଚନ୍ଦ୍ର ରାୟ ଡାକ୍ତର ଓ ନର୍ସିଂ ଅଫିସରଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ।