ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ

ଲୁଣରେ ଥିବା ସୋଡିୟମ୍ ଶରୀର ପାଇଁ ଜରୁରୀ କିନ୍ତୁ ଅତ୍ୟଧିକ ଲୁଣ ଯଦି ଖାଉଛନ୍ତି ଏହାର ସାଇଡ୍ ଇଫେକ୍ଟକୁ ଭୋଗିବାକୁ ବି ପ୍ରସ୍ତୁତ ରୁହନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞ ଲୁଣ ଅଧିକ ଖାଇବାକୁ ବାରଣ କରନ୍ତି । ୱାର୍ଲଡ୍ ହେଲଥ୍ ଅର୍ଗନାଇଜେସନ୍ (ଡଐଙ) ମଧ୍ୟ ଖାଇବାରେ ଲୁଣର କମ୍ ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି । ଡଐଙ ର କହିବାନୁସାରେ ପ୍ରତିବର୍ଷ ୧୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ କେବଳ ଶରୀରରେ ସୋଡିୟମର ଅଧିକ ମାତ୍ରା ଯୋଗୁଁ ହୋଇଥାଏ । ଯେହେତୁ ଲୁଣରେ ସୋଡିୟମର ଅଧିକ ମାତ୍ରା ଥାଏ ତେଣୁ ଖାଦ୍ୟରେ ଯଥାସମ୍ଭବ କମ୍ ଲୁଣର ପ୍ରୟୋଗ କରିବା ଆବଶ୍ୟକ  ।

ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ । ଏହି କାରଣରୁ ହୃଦରୋଗ , ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର , ମେଦବହୁଳତା , ଅଷ୍ଟିଓପୋରୋସିସ୍ , ମେନିଏର୍ ରୋଗ ଏବଂ କିଡନୀ ସମ୍ବନ୍ଧୀୟ ରୋଗର ବିପଦ ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଖାଦ୍ୟରେ ଅଧିକ ଲୁଣ ଖାଇବା ଶରୀର ପ୍ରତି ଅଧିକ କ୍ଷତିକାରକ ହୋଇପାରେ । ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି , ଯଦି ଲମ୍ବା ସମୟ ଧରି ମାଂସପେଶୀରେ ଦୁର୍ବଳତା ଅନୁଭବ କରୁଛନ୍ତି ତାହେଲେ ଏହା ଶରୀରରେ ଅତ୍ୟଧିକ ସୋଡିୟମର ସଂକେତ ହୋଇପାରେ । ଏତଦ୍ ବ୍ୟତୀତ ବାରମ୍ବାର ଶୋଷ ଲାଗିବା , ମୁଣ୍ଡବିନ୍ଧା ହେବା ,ବାରମ୍ବାର ପରିସ୍ରା ଲାଗିବା ,ସମ୍ପୁର୍ଣ୍ଣ ଶରୀର ବିନ୍ଧାଛିଟକା ହେବା ଆଦି ହାଇସୋଡିୟମ୍ ଲେବଲର ସଂକେତ । ଡଐଙ ମୁତାବକ , ବୟସ୍କ ଲୋକଙ୍କୁ ଦିନରେ ୨୦୦୦ ମିଲିଗ୍ରାମ୍ ଅର୍ଥାତ୍ ୫ ଗ୍ରାମରୁ କମ୍ ଲୁଣ ଖାଇବା ଦରକାର । ୨ ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ନିଜ ଶରୀର ଏବଂ ଫୂର୍ତ୍ତିଲାପଣ ହିସାବରେ ଲୁଣ ଖାଇବା ଆବଶ୍ୟକ । ଏଥିପାଇଁ ବାପା , ମା’ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।

ତେବେ ଲୁଣ ଏମିତି ଏକ ଖାଦ୍ୟପଦାର୍ଥ ଯାହାକୁ ଆମେ ପିଲାବେଳୁ ହିଁ ବିନା କଣ୍ଟ୍ରୋଲରେ ଖାଇଆସୁଛେ । ତେଣୁ ଅଭ୍ୟାସକୁ ତ ଆଉ ତତକ୍ଷଣାତ୍ କମାଇ ହେବନି । ଏଥିପାଇଁ ଧିରେ ଧିରେ ପ୍ରୟାସ ଆରମ୍ଭ କରନ୍ତୁ । ଯେତେବେଳେ ବି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଛୋଟ ଚାମଚ ବ୍ୟବହାର କରି କମ୍ ଲୁଣ ଖାଦ୍ୟରେ ପକାନ୍ତୁ । ଯଦି ବିନା ଲୁଣରେ ହିଁ ଖାଇବା ତିଆରି କରୁଛନ୍ତି ତାହେଲେ ତ ଆହୁରି ବଢିଆ । କମ୍ ସୋଡିୟମ୍ ଯୁକ୍ତ ପ୍ରଡ଼କ୍ଟ ଚୟନ କରନ୍ତୁ ଯେଉଁଥିରେ ୧୨୦ ମି.ଲିଗ୍ରାମ୍ / ୧୮୦ ଗ୍ରାମରୁ କମ୍ ସୋଡିୟମ୍ ଥିବ । ସତେଜ ଖାଦ୍ୟ ଖାଆନ୍ତୁ , ଯେତେ ପ୍ରୋସେସ୍ଡ ଫୁଡ୍ , ଫାଷ୍ଟ୍ ଫୁଡକୁ ନାଁ କହିବେ ଶରୀର ପାଇଁ ସେତେ ଭଲ । ଲୁଣର ବିକଳ୍ପ ରୂପେ ମସଲାର ପ୍ରୟୋଗ କରିପାରିବେ । ପ୍ୟାକେଟ୍ ସସ୍ , ଚିପ୍ସ ପ୍ୟାକେଟ୍ , ସଲ୍ଟି ବିସ୍କୁଟ୍ , ମିକ୍ଚର ଆଦିକୁ ଖାଆନ୍ତୁ ନାହିଁ ।

ଶରୀର ଉପରେ ଅତ୍ୟଧିକ ଲୁଣର ପ୍ରଭାବ କେମିତି ପଡେ ଜାଣିଲା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ସବୁ ତ ମନା ମଣିଷ ଖାଇବ କ’ଣ? ତେବେ ଆମେ ଆପଣଙ୍କୁ ଏଠାରେ କହିରଖୁଛୁ ସବୁ ଅତିର ଇତି ଅଛି । ଆପଣଙ୍କ ଶରୀର , ଆପଣଙ୍କ ରୋଗ , ଲୁଣ ଖାଇବାକୁ ମନା ନାହିଁ କିନ୍ତୁ କେତେ ମାତ୍ରାରେ ଖାଉଛନ୍ତି ନ ଜାଣି ଶରୀରକୁ ଯଦି ହେୟଜ୍ଞାନ କରୁଛନ୍ତି ତାହେଲେ ସାରା ଜୀବନ ଔଷଧକୁ ବନ୍ଧୁ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।